Unknown

 

 

 

 

 

 

 

 

 

 

 

ବାଘୁଇର ଅଭିଯାନ

ଗୀତା ହୋତା

 

ସୂଚୀପତ୍ର

 

ବାସନ୍ତୀ ଓ ପାନଦୋକାନୀ

ବାଘୁଇର ଅଭିଯାନ

☆☆☆

 

ଗୀତା ହୋତାଙ୍କ ଦ୍ୱାରା ଲିଖିତ ଅନ୍ୟାନ୍ୟ ପୁସ୍ତକାବଳୀ

 

ଅପୂଜାଫୁଲ

(ଗଳ୍ପ ସଂକଳନ)

ରଙ୍ଗମଞ୍ଚ

(ଗଳ୍ପ ସଂକଳନ)

ବିଶ୍ୱାସ ଏକ ଅନ୍ଧଗଳି

(ଗଳ୍ପ ସଂକଳନ)

ମନବୀଣା

(ଉପନ୍ୟାସ)

ବୁଦ୍ଧିଥିଲେ ଉପାୟ ଦିଶେ

(ଶିଶୁ ସାହିତ୍ୟ)

ଟୁନି ପାହାଡ଼

(ଶିଶୁ ସାହିତ୍ୟ)

ଏକା ଏକା ଈଶ୍ୱରୀ

(କବିତା ସଂକଳନ)

☆☆☆

 

ବାସନ୍ତୀ ଓ ପାନଦୋକାନୀ

Image

ପାନଦୋକାନୀଟେ ଥିଲା । ଏହିମ, ଆମ ଘର ସାମ୍ନା ଗଳିର ଆରପଟ ଛକ ଧାରକୁ । ସେହି ଯେଉଁ ଦୋ’ତାଲା କୋଠାଟା, ତାହାରି କାନ୍ଥକୁ ଲାଗି ଯେଉଁ ବଡ଼ କେବିନ୍‌ଟେ ସେଇଟା । ସେଇଠି ବସେ, ପାନ ଦୋକାନୀ ସୁଖରାମ୍‌, ସୁଖରାମ୍‌ ଗୋଛାଏତ୍‌ । ଜାତିରେ ତେଲୀ, ତେଲଘଣା ନ ପେଲି ପାନ ବ୍ୟବସାୟ କରୁଛି । ପଇସାବାଲା ଲୋକ, ତେଣୁ କେବିନ୍‌ଟି ମଧ୍ୟ ବଡ଼ । ବଢ଼ିଆ ସଜେଇଛି, ତା’ ଭିତରେ ରେଡ଼ିଓ ବାଜୁଛି, ଟେଲିଫୋନ୍‌ ଘଡ଼ି କି ଘଡ଼ି କ୍ରିଂ–କ୍ରିଂ ହେଉଛି, ବଡ଼ ବଡ଼ ଲୋକ ବାହାଭୋଜି ଭାତରେ ପାନ ବରାଦ ଆସୁଥିବ, ଲୋକ ଭିଡ଼ କରି ଭିଡ଼ି ରହିଛନ୍ତି ।

 

ଦଶଟା ବାଜିବାକୁ ମାତ୍ର ଆଠ ମିନିଟ୍‌ । “ହେ ମଉସା; ଶୀଘ୍ର ପାନ ଚାରିଖଣ୍ଡ ଦିଅ ! ଡେରି ହେଲେ ଖାତାରେ ନାଲିଗାର ପଡ଼ିଯିବ ।” ପୁଣି କିଏ କହୁଛି, ସିଗାରେଟ୍‌ ପାକେଟ୍‍ଟାଏ କେତେ ପଇସା ? ଓହୋ, ବସ୍‌ଟା ଆସିଗଲା, ଚଞ୍ଚଳ ହାତ କର ଭାଇ । ପ୍ରଥମ ବସ୍‌ଟା ଛାଡ଼ିଦେଲେ ସବୁ ଅଡ଼ୁଆ ହୋଇଯିବ । ହେ ପାନୁଆଁ ଅଜା, ଦେଲ ଚକୋଲେଟ୍‌ ପାଞ୍ଚଟା, ଟଫି ପାକେଟ୍‌ ଗୋଟେ । ସ୍କୁଲ ବସ୍‌ ଆସିଗଲା ଯେ ।” ମେଞ୍ଚାଏ ସାନ ସାନ ପିଲା ହାଲ୍ଲା ଲଗାଉଛନ୍ତି । “ରହରେ ରହ, ତନ୍ଦ୍ରାହେଉଛ କାହିଁକି ? ଦୋଉଛି, ଦୋଉଛି, ସୁଖରାମର ହାତ ସାଙ୍ଗକୁ ମୁହଁ ମଧ୍ୟ ଚାଲିଛି ।

 

–ହଁ ବାବୁ, କି ପାନ କହିଲ ? ଗୋପାଳ ଡିଲକ୍ସ, ଚମନ ବାହାର୍‌ ? ଆଉ ତମର ‘ରତ୍ନା-? ରାଜାଜର୍ଦା ?’ ଗୁଜୁରାତି ପିପର୍‌ମେଣ୍ଟ୍‌ ? ହଁ ଆପଣଙ୍କର, ସୁରଭି ସୁର୍ତି ? ମୋହିନୀ କିମାମ୍‌-? ଦୋଉଛି ଦୋଉଛି ସମସ୍ତଙ୍କୁ ଦେବିହେ । –ହେ ପିଲେ, ସେଠି କିଆଁ ଅଛ । ଆରେ ନିଆଁ ଦଉଡ଼ାଟା ଦେଖୁନ । ଜାମାକପଡ଼ା ପୋଡ଼ିଯିବ ବାଗେଇ ଛିଡ଼ା ହୁଅ ।

 

–ବାବୁ ଧରିଲ ତମ ପାନବିଡ଼ା ।

 

ଏମିତି ଭିଡ଼ ଭିତରେ ବାଛୁରୀଟେ ଖାଲି ଏପଟ ସେପଟ ମୁହଁ ଗଳାଇ ଭିତରକୁ ପଶିବାକୁ ତ ଖାଜିବୁଲୁଥିଲା ଆ’ ଅଣ୍ଟାସନ୍ଧିରେ କାହା ପଛରେ ଘଷି ହୋଇଯାଇଥାଏ ତ କାହା ପାଦକୁ ଚକଟି ପକାଉଥାଏ ପୁଣି କାହା ଇସ୍ତ୍ରୀକରା ପେଣ୍ଟସାର୍ଟରେ ତା’ର ଲାଳୁଆ ଓଠ ଘଷି ହୋଇ ଯାଉଥିଲା ।

 

–ମଇଳା କରିଦେଲାରେ, ଭାଗ୍‌ ଭାଗ୍‌, ଆରେ ହେ ବାଛୁରୀ ତୁ କ’ଣ ପାନବିଡ଼ି ଖାଇବୁ କିରେ ? ପଳା, ପଳା କହି ଧକ୍କାଏ ବିଧାଏ ବିଧାଏ ମାରି ତଡ଼ୁଥାଆନ୍ତି ଲୋକେ । କିଏ ପୁଣି ମଜା କରିବାକୁ କହୁଥାଏ “ହଇହୋ, ତମେ ପାନ ସିଗାରେଟ୍‌ ଖାଉଛ । ଆଉ ସେ ବିଚରା ପଶୁଟେ ହେଲା ବୋଲି କ’ଣ ପାନ ଖାଇବାକୁ ମନା କିହୋ ?” ହେଁ, ହେଁ–ହା ହା–ଖଇଫୁଟା ହସରେ ଉଛୁଳି ଉଠେ କେବିନ୍‌ ପାଖ ।

 

–ସୁଖରାମ୍‌ ଆକଟ କରି କହିଉଠେ–ଆଲୋ ଏମିତି ଭିଡ଼ ଭିତରେ ପଶୁଛୁ କ’ଣ ପାଇଁ-? ଯା, ସେ ଧାରକୁ ଛିଡ଼ା ହୋଇ ଅପେକ୍ଷା କର, ଲୋକେ ଯାଆନ୍ତୁ, ତା’ପରେ ସିନା ତୋ ପାଳି–ଏଁ-। ବାସ୍‌, ସେତକ ଶୁଣିଲା ତ ମୁଣ୍ଡ ବୁଲେଇ ନିଏ ବାସନ୍ତୀ–ହଁ ମ, ତା’ ନାଁ ‘ବାସନ୍ତୀ’ ଅତି ଶରଧାରେ ନାଁ ଦେଇଛି ସୁଖରାମ୍‌ ‘ବାସନ୍ତୀ’ ବୋଲି ।

 

ବାସନ୍ତୀ ଗୋଟିଏ ଧାରକୁ ଯାଇ ଛିଡ଼ା ହୋଇ ରୁହେ ଭିଡ଼ କମିବାଯାଏଁ ।

 

କେବିନ୍‌ ପାଖ ନିରୋଳା ହେବା ଦେଖିଲେ ପୁଣି ହାଲୁକା ପାଦ ପକାଇ ପକାଇ ଚାଲିଆସେ, ଆଉ ସିଧା ବେକକୁ ଲମ୍ବେଇଦିଏ ଯେଉଁଠି ପାନ ଭାଙ୍ଗୁଛି ସୁଖରାମ୍‌ ।

 

–ନେ, ନିଶାଖୋର୍‌, ହୋଇ ଗଲୁଣି କହି ପାନ ଖିଲଟେ ଗୁଞ୍ଜିଦିଏ ବାସନ୍ତୀର ଗାଲ ଭିତରେ ସୁଖରାମ୍‌, ତାକୁଇ ପାକୁଳୁ ପାକୁଳୁ ଫେରିଯାଏ ବାସନ୍ତୀ ତା’ ନିଜ ବାଟରେ ।

 

ଏମିତି ନିତି ସେଇ ଏକାସମୟରେ ନୋହିଲେ କିଛି ବେଳ ଏପଟ ସେପଟ ଉଛୁର କରି ମଧ୍ୟ ଆସେ, ଖରା–ବର୍ଷା, ଝଡ଼–ଶୀତ ସବୁଦିନ ଆସିବା ତା’ର ବନ୍ଦ ହୁଏ ନାହିଁ ।

 

ହାତ ଖାଲି ଥିଲେ ସୁଖରାମ୍‌ ମଧ୍ୟ ବାସନ୍ତୀର ବେକମୁଣ୍ଡରେ ହାତ ବୁଲାଇ ଆଉଁସି ଦିଏ, ଗେଲ କରେ, ଦୁଇ ହାତରେ ତା’ଓଠକୁ ଧରି ଭଲ ମନ୍ଦ ପଚାରେ, ତା’ ମା’ କଥା, ବାପା–ଭାଇ–ଭଉଣୀ କଥା, ତା’ ମାଲିକ କଥା । ବାସନ୍ତୀ ମଧ୍ୟ ମୁଣ୍ଡ ହଲାଇ ଆଖି ମିଟିକା ମାରି କ’ଣ ସବୁ କହେ, ବେକରେ ବନ୍ଧା ହୋଇଥିବା ଘଣ୍ଟି ହଲେଇ ଟୁନ୍‌–ଟୁନ୍‌ କରି ଶଦ୍ଦ ତୋଳେ ।

 

ସୁଖରାମ୍‌ ଓ ବାସନ୍ତୀ ମଧ୍ୟରେ ଖୁବ୍‌ ଭାବ ହୋଇଯାଇଥିଲା । ବାସନ୍ତୀ ମଧ୍ୟ ଦିନକୁ ଦିନ ବଡ଼ ହବାକୁ ଲାଗିଥିଲା । ତା’ ଦେହର ରଙ୍ଗ ଚହଟ ଚିକ୍କଣ ଦିଶିଲା, ମୁଣ୍ଡଟାଣ ଓ ଶିଙ୍ଘ ବାହାରିବାକୁ ଆରମ୍ଭ କଲା । ତା’ କାନମୂଳ ଠିଆ ଠିଆ ଦିଶିଲା, ବେଶ୍‌ ହୃଷ୍ଟପୁଷ୍ଟ, ବାଛୁରୀରୁ ଗାଈଟିଏ ହେବା ପାଇଁ ତିଆରି ହେଲା ବାସନ୍ତୀ ।

 

ଭାରି ସୁନ୍ଦରୀ, ଛନଛନିଆ ରୂପ ତା’ର, ଦେଖିଲେ ଘଡ଼ିଏ ଗେହ୍ଲା କରିବାକୁ ଇଚ୍ଛା ହେବ-। ତା’ର ଖମ୍ବପରିକା ଗୋଡ଼ର କଳାକଳା ଖୁରା ଘଷି ଚାଲିଲାବେଳେ ପଛରେ ଥିବା ଲାଞ୍ଜର ବାଳ ଗୋଛା ଭୂଇଁ ଛୁଇଁ ଯାଉଥାଏ ।

 

Image

ଏବେ ଲୋକେ ତାକୁ ଡରୁଛନ୍ତି ମଧ୍ୟ, କେବିନ୍‌ ପାଖକୁ ଆସିଲେ ପଛେଇ ଯାଆନ୍ତି, ଭୁଷିବ ମାରିଦେବ । ‘ହଟ୍‌–ହଟ୍‌’ କହି ତଡ଼ି ଗୋଡ଼ାନ୍ତି ।

 

ସୁଖରାମ୍‌ କହେ–ନାଇଁରେ ପିଲେ, ନାଇଁ ହୋ ବାବୁ ଡରନ୍ତୁ ନାହିଁ, ବାସନ୍ତୀ ଆମର ଭାରି ସୁଧାର ଝିଅ । ସେ କାହାକୁ କେବେ ସତାଇ ନାହିଁ, ତାହାର ପାନଖିଲଟି ସେ ପାଇଗଲେ ମନକୁ ଚାଲିଯିବ । ଲୋକେ ଖିଲ୍‌ଖିଲ୍‌ ହସନ୍ତି–ହେଇ, ଗୋରୁଟା ପାନ ଖାଉଛି ମ ?

 

ବାସନ୍ତୀର ସେଥିକୁ ଖାତର ନ ଥାଏ । ଭିଡ଼ ଥିଲେ ଅପେକ୍ଷା କରେ ନଚେତ୍‌ ପାନଖିଲଟେ ପାଇଗଲେ ତା’ବାଟ ଧରେ । ଏମିତି ମାସ–ବର୍ଷ ଚାଲିଥିଲାବେଳେ ବାସନ୍ତୀ ଆଉ ଦିଶିଲାନି । ଦିନେ ଗଲା, ଦି’–ଦିନ ଗଲା, ମାସେ–ଦି’ମାସ ଗଡ଼ି ଯାଇଥିଲେ ମଧ୍ୟ ବାସନ୍ତୀ ଆସିଲା ନାହିଁ । ପାନ ଭଙ୍ଗା ହୋଇ ସେମିତି ପଡ଼ି ରହିଲା ସୁଖରାମ୍‌ର କାଗଜ ଠୁଙ୍ଗା ଭିତରେ ।

 

ସୁଖରାମ୍‍ ମଧ୍ୟ –ପାନଖଣ୍ଡକ ଧରି ବାସନ୍ତୀକୁ ଅନେଇ ଅନେଇ ନିରାଶ ହୁଏ, ଗରାଖ ମାନଙ୍କ ପାନ ଭାଙ୍ଗୁ ଭାଙ୍ଗୁ ରାସ୍ତା ଉପରକୁ ଆଖି ପକାଏ କାଳେ ତଡ଼ା ଖାଇବା ଭୟରେ ଲୁଚେଇ ହୋଇ ଦୂରରେ କେଉଁଠି ଅପେକ୍ଷା କରିଛି କି ବାସନ୍ତୀ ? ଚିହ୍ନା–ଅଚିହ୍ନା ଲୋକଙ୍କୁ ପଚାରେ, “ଭାଇ, ବାସନ୍ତୀକୁ ଦେଖିଛ କି ? ଏଇ ତମରି ଆଗରେ ପରା ଛୋଟରୁ ଏତେ ବଡ଼ଟେ ହେଲା, ସବୁଦିନ ଆସି ମୋ ଦୋକାନରୁ ପାନ ନଉଥିଲା, ଖରା–ବରଷାରେ ଏହି କେବିନ୍‌ ପଛପଟରେ ବୁଲୁଥିଲା, ଶୋଉଥିଲା ? ଜାଣିନ ତାକୁ ?”

 

କିଏ ବି କହିପାରନ୍ତି ନି ‘ବାସନ୍ତୀ’ କଥା । ସୁଖରାମ୍‍ ଜମାରୁ ଭୁଲି ପାରେନାହିଁ । ଆନମନା ହୋଇଯାଏ । ପାନଭଙ୍ଗାରେ ଭୁଲ୍‌ କରିବସେ । ଚମନ୍‌ ଜାଗାରେ ଆଉ କ’ଣ ଦେଇଦିଏ-। ବାସନ୍ତୀ ପାଇଁ ପାନ ଭାଙ୍ଗି ଗୋଟାଏ ଠୁଙ୍ଗା ଭିତରେ ଶୁଖି ଚାନାଚୁର୍‌ ହୋଇଗଲାଣି, ହେଲେ ବାସନ୍ତୀ ନାହିଁ ।

Image

ସେଦିନ ସକାଳବେଳା, କେବିନ୍‌ ସେହିମାତ୍ର ଖୋଲିଛି, ଧୂପଝୁଣା ଦିଆହୋଇନି । ସୁଖରାମ୍‍କୁ ଶୁଭିଲା ଯେମିତି ଟୁନ୍‌–ଟୁନ୍‌–ଟୁନ୍‌– କରି ବାସନ୍ତୀର ବେକରେ ବନ୍ଧାହୋଇଥିବା ଘଣ୍ଟି ବାଜୁଛି, କେଉଁଠି ବାଜୁଛି ବୋଲି ସେ କାନ ପାରିଲା ଏବଂ ଡାକି ପକାଇଲା–ବାସନ୍ତୀ, ବାସନ୍ତୀ–କିଲୋ.... । ସୁଖରାମ୍‌ ଦେଖିଲା–ହାତ୍‌......ହେ.....ଆରେ...ରହ ରହ କହି ଅସ୍ତବ୍ୟସ୍ତ ହୋଇ ଗାଈ–ବାଛୁରୀ ଧରି ଲୋକଟେ ଧାଇଁ ଆସୁଛି ରାସ୍ତା ସେପଟରୁ ଏପଟକୁ । ସୁଖରାମ୍‍ ମଧ୍ୟ କହି ଉଠିଲା–ଆମ ବାସନ୍ତୀ ତ ?

 

–ହଁ, ବାସନ୍ତୀ, କିନ୍ତୁ ଏକା ନୁହଁ ତା’ ସାଙ୍ଗରେ ତା’ର କଅଁଳା ପିଲାଟେ, ଧୋବ ଫରଫର ଲାଉ ଫୁଲ ପରି କଅଁଳ ଚିକ୍କଣ ଦିଶୁଛି । ବାସନ୍ତୀ ମଧ୍ୟ ନଛୋଡ଼ ବନ୍ଧା, ଘୋଷାରି ହୋଇ ଆସି ହାଜର୍‌ ହେଲା କେବିନ୍‌ ପାଖରେ । ସୁଖରାମ୍‌ ବାସନ୍ତୀକୁ ଦେଖି କୁଣ୍ଡେଇ ପକାଇଲା । ଆଉଁଷି ଲାଗିଲା ବାସନ୍ତୀର ଦେହମୁଣ୍ଡକୁ ।

 

ରାଗ ଗରଗର ହୋଇ ଲୋକଟି କହିଲା– ‘‘ଦେଖ ନା ଭାଇ, କି ଚଣ୍ଡୀ ଗାଈଟା ଏଇଲେ କିଣି ଆଣିଲି । ବାଟଯାକ ଭଲରେ ଚାଲିଥିଲା, ଏଇଠି କ’ଣ ହେଲା କେଜାଣି ଖାଲି ଧାଇଁଲା ତ !

Image

ସୁଖରାମ୍‌ କହିଲା–“ବାସନ୍ତୀ ଭାରି ନରମ ପିଲା ଭାଇ, ସେ ତୁମକୁ କିଛି ସତେଇବ ନାହିଁ ।” କହି ପାନ ଭାଙ୍ଗି ବସିଲା ସୁଖରାମ୍‌ । ସେ ଲୋକକୁ ଖିଲଟିଏ ଦେଇ ଅନ୍ୟ ଖିଲଟେ ବାସନ୍ତୀର ଗାଲ ଭିତରକୁ ଗୁଞ୍ଜିଦେଲା ।

 

ଲୋକଟି କହିଲା, “କ’ଣ ଗାଈଟା ପୁଣି ପାନ ଖାଉଛି ?”

 

–ବାସନ୍ତୀକୁ ସେମିତି କୁହନା’ କହିଲା ସୁଖରାମ୍‌ । ସେ କ’ଣ ଆଜି ? ସେହି ପିଲାକାଳରୁ ସେ ମୋ ଗରାଖ, ସବୁଦିନେ ଖିଲେ ପାନ ତା’ର ବରାଦୀ ଥାଏ, ଗୋଟିଏ ପାନଖିଲ ଭର୍ତ୍ତି କାଗଜ ଠୁଙ୍ଗା ଦେଖାଇ ପୁଣି ସୁଖରାମ୍‌ କହିଲା,–“ହେଇ ଦେଖୁନ ତା’ର ବରାଦୀ ପାନସବୁ କେମିତି ଶୁଖି ଚଣା ହୋଇ ରହିଛି । ସେ ମୋ ସହିତ ଦେଖା ନ କରି ଏଠା ଛାଡ଼ି ଚାଲିଯାଇଥିଲେ ଉଧାରୀ ହୋଇ ରହିଯାଆନ୍ତା ନି ?”

 

“ଯା ଲୋ ବାସନ୍ତୀ” କହି ସୁଖରାମ୍‌ ହାତ ବୁଲାଇଲା ବାସନ୍ତୀର ପିଠି ଉପରେ । ସତେଇବୁନି ମାଲିକକୁ, ଭଲ କରି ସେବା କରୁଥିବୁ । ବାସନ୍ତୀ ମଧ୍ୟ ସବୁ ବୁଝିଲା ପରି ମୁଣ୍ଡ ହଲାଇଦେଲା । ତା’ ବେକର ଘଣ୍ଟି ଟୁନ୍‌–ଟୁନ୍‌ ହୋଇ ବାଜିଉଠିଲା । ଶ୍ୱଶୁର ଘରକୁ ଯାଉଥିବା ଝିଅଟି ପରି ମୁଣ୍ଡ ନୁଆଇଁ ଧୀରେ ଧୀରେ ରାସ୍ତା ଉପରକୁ ଆଗେଇ ଚାଲିଲା । ତା’ ପଛକୁ ତା’ ଗେଲବସର ପୁଅ ଚାରିଗୋଡ଼ କଚାଡ଼ି ଡିଆଁ ମାରିମାରିକା ଧାଇଁବାକୁ ଲାଗିଲା । ସୁଖରାମ୍‌ ଛିଡ଼ା ହୋଇଥିଲା ସେମିତି । ବାସନ୍ତୀ ରହି ରହି ମୁହଁବୁଲେଇ ଚାହୁଁଥିଲା, ସୁଖରାମ୍‌ କିନ୍ତୁ ବାସନ୍ତୀ ଆଖିରେ ଲୁହ ଥିଲା କି ନାହିଁ ଜାଣିପାରିଲା ନାହିଁ । ହେଲେ ତା’ ଆଖିରୁ ଥପ୍‌ ଥପ୍‌ ହୋଇ ଲୁହଗୁଡ଼ାକ ଝରି ଝରି ପାନପତ୍ରଗୁଡ଼ିକୁ ଧୋଇଦେଉଥିଲା ।

☆☆☆

 

ବାଘୁଇର ଅଭିଯାନ

 

ଜର୍ମାନୀ ଓ ଭାରତର କ୍ରିକେଟ ଖେଳ ଚାଲିଥିଲା, କଟକ ଷ୍ଟାଡ଼ିୟମରେ । ଜର୍ମାନୀକୁ ଚାରି ରନ୍‌ରେ ପରାସ୍ତ କଲା ଭାରତ । ଏହି ବିଜୟ ଉଲ୍ଲାସରେ ଖବର ଟି.ଭି. ଓ ରେଡ଼ିଓରେ ପ୍ରଚାର ହୋଇଯିବା ମାତ୍ରେ ସ୍କୁଲ୍‌ କଲେଜ ସବୁ ଛୁଟି ହେବାର ଘଣ୍ଟା ରଣ୍‌ଝଣ ହୋଇ ବାଜି ଉଠିଲା-। ପିଲାଏ ବହି ବସ୍ତାନି ବାନ୍ଧି ଉଠିପଡ଼ିଲେ । ସମସ୍ତଙ୍କ ମୁହଁରେ ବିଜୟ ଗର୍ବର ଉଲ୍ଲାସ, ଆନନ୍ଦ । ହିପ୍‌ହିପ୍‌ ହୁରେ କହି କହି କ୍ଲାସ ଭିତରୁ ବାହାରି ପଡ଼ିଲେ । ସ୍କୁଲ୍‌ ଗେଟ୍‌ ପାଖରେ ଭିଡ଼ ଲାଗିଗଲା । ଖୋଲ, ଖୋଲ, କଳରବ, ଗେଟ ଖୋଲିଲା । ଡିଆଁ ମାରି ପିଲାଏ ରାସ୍ତା ଉପରକୁ ମାଡ଼ି ଗଲେ । ମେଘ ଓ ତାରା ଦୁହେଁ ମଧ୍ୟ ବାହାରି ଆସିଗଲେ କ୍ଲାସ୍‌ ରୁମ୍‌ ଭିତରୁ ଏବଂ ସେହି ଗେଟ ପାଖରେ ପିଲାଙ୍କର ଭିଡ଼ ଭିତରକୁ ପଶି ଯାଇ କୌଶଳ କ୍ରମେ ଆମ୍ବୁଲ ଝୋଳ ହାପୁଡ଼ିଲା ପରି ସୁଡତ୍‌ କରି ବାହାରି ଆସିଲେ ରାସ୍ତା ଉପରକୁ । କାରଣ ସେମାନେ ଛୋଟ ପିଲା, ସେମାନେ ରିକ୍‍ସା ନ ଆସିବା ଯାଏ ଭିତରେ ବନ୍ଦ କରି ରଖନ୍ତେ । ଏତେ ସମୟ ଧୈର୍ଯ୍ୟ ଧରି ବସି ରହିବାକୁ ମନ ମାନୁ ନଥିଲା, ତାରା ଓ ମେଘର । ମେଘ କହିଲା, “କ’ଣ ତାରା ଆମେ କ’ଣ ସାନ ପିଲାକି ? ଘରଯାଏ ଚାଲିଯାଇ ପାରବାନି ?” ତାରାର ଅଳ୍ପ ଭୟ ହେଉଥିଲା ! ସେ କିନ୍ତୁ ପ୍ରଥମରୁ ମନା କରୁଥିଲା ଲୁଚି କରି ପଳାଇ ନଯିବା ପାଇଁ ହେଲେ, ସେ ମେଘ ଭାଇର କଥାରେ ସାହସ ବାନ୍ଧି କହିଲା, “ଯିବାନି କାହିଁକି ? କେତେ ସାଙ୍ଗ ତ ଯାଉଛନ୍ତି ।”

Image

ବେଶ୍‌ ଖୁସି ମନରେ ଦିହେଁ ଡେଇଁ ଡେଇଁକା ସଡ଼କ ଉପରେ ଚାଲିବାକୁ ଲାଗିଲେ । “ଆଜି ବହୁତ ମଜା”– କହିଲା ତାରା । –ବଢ଼ିଆ ମଜା ନା, ଚାଲୁ ଚାଲୁ ଉତ୍ତର ଦେଲା ମେଘ । ସବୁଦିନ ସେହି କେଁ କଟର ରିକ୍‍ସା, ପୁଣି ରିକସାବାଲାର ତାଗିଦ୍‌ । ସାନବାବୁ ପଦାକୁ ହାତ ବାହାର କରନା—ଦେଇ ଧୀରିକିନା ବସ । ଆଜି ପରା ସ୍ୱାଧୀନ ଆମେ । ଖୁସି ମନରେ ସଡ଼କ ପାରିହେଲେ ସେମାନେ । ଏହି ବାମ ହାତ ଗଳିଟା ପାରିହେଲେ ତାଙ୍କ ଘର ଆଡ଼କୁ ରାସ୍ତା ପଡ଼ିବ । ସିଧା ଯିବା କଥା– ନା’ ତାରା ?

 

ଏପଟ ସେପଟ ଚାହିଁ ଭୟ ଚାପି କହିଲା–ହଁ ।

 

ମେଘ କହିଲା—ଏଇତ ଉଡ଼ାଜାହାଜ ପଡିଆ ଭିତରକୁ ପଶିବାର ଗେଟ ଦିଶିଲାଣି, ଚାଲ, ଭୟ ନାହିଁ ।

 

–ଆମେ ଏକୁଟିଆ ପଳେଇ ଆସିବା ଭଲ ହେଲା ନାହିଁ ଭାଇ ।

Image

–ଚୁପ୍‌ ହୁଣ୍ଡି । ଡରକୁଳିଟେ । ମୁଁ ଅଛି ପର୍‌ବାୟ କ’ଣ ?

 

ଶୁଖିଲା ଗଳାରେ କହିଲା ତାରା–ଦେଖୁନ ଭାଇ କେଡ଼େ ନିଛାଟିଆ ଏପଟେ.....କିଛି ଘର, କି ପାନ ଦୋକାନ ଗୋଟେ ବି ନାହିଁ । କେମିତି ଟାଣ ଖରା ଝାଞ୍ଜି ବହିଲାଣି । ଝାଳ ପୋଛିଲା ତାରା ।

 

ମେଘର ମଧ୍ୟ ବେକ କାଖ ତଳୁ ଝରଝର ହୋଇ ଝାଳ ବୋହି ପଡ଼ୁଥିଲା । ସେ ଛିଡ଼ା ହୋଇପଡ଼ି ପାଣି ବୋତଲ ଖୋଲି ତାରାକୁ ବଢ଼ାଇ ଦେଲା । ନେ ପିଇ, ଥଣ୍ଡା ଲାଗିବ । ଗାଲ ଓ ମୁହଁରେ ପାଣି କିଛି ଲଗେଇ ଦେ, ରୁମାଲଟା ଭିଜାଇ ଦେ ।

 

ତାରା ପାଣି ପିଉଥିଲା । ଗୋଟାଏ ଲାଲିପପ୍ ବିକାଳୀ ଆସି ଛିଡ଼ା ହେଲା, ସେମାନଙ୍କ ପାଖରେ ।

 

–କୁନି ମା’ ଲାଲିପପ୍ ଖାଇବ ? ନିଅ ରାଜାବାବୁ ଏହାକୁ ଖାଇଲେ ଖରା ଲାଗିବନି, ଭୋକ ହେବନି, ଶୋଷ ହେବନି । ବତାଇ ଦେଇ କହିଲା ବୁଲାବିକାଳୀ ।

 

ଲାଲିପପ୍‌ ଦେଖି ତାରାର ପାଟିରୁ ଲାଳ ବାହାରୁଥିଲା । ଜିଭ ଓଠ ଉପରୁ ଚାଟି ଆଣିଲା-। ମେଘ ପ୍ୟାଣ୍ଟ ପକେଟ ଅଣ୍ଡାଳିଲା । ଘରୁ ଆସିଲା ବେଳେ ମା’ ପଚାଶ ପଇସା ଦେଇଥିଲା, ଚକ୍‌ଲେଟ୍‌ ଖାଇବା ପାଇଁ । ସେତକ ରହିଛି । ଶୀଘ୍ର ସ୍କୁଲ ଛୁଟି ହୋଇଯିବାରୁ ତାହା ଆଉ ଖର୍ଚ୍ଚ ହୋଇନି ।

 

ବୁଲାବିକାଳୀ ଦୁହିଁଙ୍କୁ ଦୁଇଟି ଲାଲିପପ୍‌ ଧରାଇ ଦେଲା କହିଲା, ଖାଅ ପଇସା ଲାଗିବ ନାହିଁ ।

 

ମେଘ ଏପଟ ସେପଟ ଚାହୁଁଥିଲା । ତାରା କହିଲା, ପଇସା ଦେଇ ଦେ ଭାଇ । ମା’ କହିଛନ୍ତି ବାଟରୁ ଅଜଣା ଅଚିହ୍ନା ଲୋକଠାରୁ କିଛି ଖାଇବ ନାହିଁ ।

Image

ମେଘ,ତାରାଠାରୁ ଦୁଇବର୍ଷ ବଡ଼ । ସେ ଲାଲିପପ୍‌ ଚାଟୁଥିଲା । ପାଟି ଭିତରକୁ ପୁରା ପୁରାଇ ଦେଇ ବେଶ୍‌ ଜୋର୍‌ କରି ଟାଣଟାଏ ଦେଲା । କହିଲା– ଚାଲଚାଲ, ବେଶୀ ବୁଢ଼ୀଙ୍କ ପରି କଥା କହନା......

 

ଲାଲିପପ୍‌ ବାଲା, ଖିଁ ଖିଁ ହୋଇ ହସି ଉଠିଲା କହିଲା, “ସାବାସ୍‌ ରାଜାବାବୁ ।”

 

ଦି, ଚାରି ପାହୁଣ୍ଡ ଯାଇଛନ୍ତି କି ନାହିଁ, ତାରାର ମୁଣ୍ଡ କେମିତି ବୁଲାଇ ହେଲା ପରି ଲାଗିଲା । ସେ ରାସ୍ତା ଉପରେ ବସି ପଡ଼ିଲା । ମେଘ ମଧ୍ୟ କେମିତି କେମିତି ଅନୁଭବ କରୁଥିଲା । ସେ ମନେ ମନେ ଭାବୁଥିଲା, ତାରା କଥା ମାନି ଲାଲିପପ୍‌ ନଖାଇ ଥିଲେ ଭଲ ହୋଇଥାନ୍ତା । ଜେଜେ ମା’ କହୁଥିବା କଥାଟା ମନେ ପଡ଼ିଲା । ସେ ପିଲାଦିନେ ସାହିତ୍ୟ ସୋପାନ ନା ଆଉ କେଉଁ ଗୋଟେ ବହିରେ ପଢ଼ିଥିଲେ । ଠିକ୍‌ ମନେ ପଡ଼ୁନି । ସେ ତ ଇଂରାଜୀ ପାଠ ପଢ଼ିଲେ । ଓଡ଼ିଆ କ’ଣ କହି ଆସୁଛି । ତଥାପି ମନେ ମନେ ପଦଟା କହିଲା, ପିତା ମାତା ଗୁରୁ..... । କିନ୍ତୁ ବର୍ତ୍ତମାନ ଉପାୟ..... ? ତା’ର ପାଦ ମଧ୍ୟ ଥର ଥର ହେଉଛି । ପଡ଼ି ଯିବ ପଡ଼ି ଯିବ ପରି ଲାଗୁଛି ତାକୁ । ଧୂଆଁ ଧୂଆଁ ଦିଶୁଛି ଆଖି ସାମ୍‌ନାରେ ସେହି ଲାଲିପପ୍‌ ବାଲା ଓ ରିକ୍‍ସାଟା ଥିଲା ପରି ଲାଗୁଛି । ମେଘ ଆଖି ମଳି ଦେଖିବାକୁ ଚେଷ୍ଟା କଲା । ତାଙ୍କରି ରିକ୍‌ସା କି ? ଜାଣି ପାରୁନି । ନିଦ ଭୀଷଣ ନିଦ ମାଡ଼ୁଛି ମେଘକୁ । ତାହାରି ଭିତରେ ସେ ଅନୁଭବ କଲା, ସେହି ଲାଲିପପ୍‌ ବାଲା ଓ ରିକ୍‌ସାବାଲା ମିଶି ସେ ଦୁହିଁଙ୍କୁ କ’ଣ ଗୋଟାଏ ବସ୍ତା ଘୋଡ଼ାଇ ବନ୍ଧାବନ୍ଧି କରି ରିକ୍‌ସା ଉପରକୁ ଉଠାଇ ଦେଲା । ଲାଲିପପ୍‌ ବିକାଳୀର ସ୍ୱର ପରି ଶୁଭୁଛି । ସେ କହୁଛି– ନେଇଯା, ଠିକଣା ସ୍ଥାନରେ ପହଞ୍ଚାଇ ଦେବୁ । ପଇସା ପାଇଁ ଚିନ୍ତା ନାହିଁ । ଠିକଣା ଜାଗାରେ ନଗଦ ଟଙ୍କା ମିଳିଯିବ ତତେ ।

Image

ମେଘକୁ ନିଦ ଲାଗି ଯାଇଥିଲା । ସେ କିଛି ଜାଣି ପାରିଲାନି । ରିକ୍‌ସା କୁଆଡ଼କୁ ଯାଉଛି-। ଏତକ ତା’ର ମନେ ଥିଲା, ଲାଲିପପ୍‌ ବିକାଳୀର ନାମ ଦୁନ୍ଧୁଭ ଓ ରିକ୍‌ସାବାଲାର ନାମ ଚତୁରା ବୋଲି ଯାହା ଡକାଡ଼କିରୁ ଶୁଣିଥିଲା । ଭୀଷଣ ଭୟ ଓ ଆତଙ୍କରେ ଥର ଥର ଗୋଡ଼ ହାତ ଅବଶ ହୋଇ ପଡ଼ିଲା ମେଘର । ବିଚାରୀ ତାରା, ଏମିତିରେ ଖୁବ୍‌ ବୁଦ୍ଧିମତୀ ଝିଅଟେ ହେଲେ ଭୟ ଓ ଲାଲିପପ୍‌ ଗୁଣରୁ ଅଚେତ ହୋଇଯାଇଛି । କେଜାଣି ପ୍ୟାଣ୍ଟରେ ଏକ କରି ଦେଲାଣି କି କ’ଣ-?

 

ନିଦ ଭାଙ୍ଗିଲା ବେଳକୁ ମେଘ ଅନୁଭବ କଲା ଯେ ସେ ଆଉ ବସ୍ତା ଭିତରେ ନାହିଁ । ତାରାର ଅନୁସନ୍ଧାନ କଲା । ସେ ଅନୁଭବ କଲା ତା’ ଗୋଡ଼ ଆଉଜଣଙ୍କର ଗୋଡ଼ ସହିତ ବନ୍ଧା ହୋଇ ରହିଛି । ହାତ ମଧ୍ୟ ବନ୍ଧା ହୋଇ ଥିବାର ଜାଣି ପାରିଲା । ଆଖି ଖୋଲି ଦେଖିବାକୁ ଚେଷ୍ଟା କଲା । ହେଲେ ଅନ୍ଧାରରେ ଆଉ କିଛି ଜଣା ପଡ଼ିଲା ନାହିଁ ।

 

ତାରାର ମଧ୍ୟ ଚେତା ଆସି ଯାଇଥିଲା, ସେ ଆସ୍ତେ କହିଲା–ଭାଇ...... ?

Image

ତୁ କେଉଁଠି ତାରା ?

 

–ମୋ ହାତ ଗୋଡ଼ ବନ୍ଧା ହୋଇଛି । ତାରା ମେଘକୁ ଛୁଇଁ ପାରୁଥିଲା । ତାରା କହିଲା–ଭାଇ ଭାରି ଶୋଷ ।

 

ମେଘକୁ ମଧ୍ୟ ଭୋକ ଶୋଷ ସବୁ ଲାଗୁଥିଲା । ବେଶି ଏକ ଯିବାର ତାଗିଦା ଅନୁଭବ କରୁଥିଲେ ବି ଉପାୟ ନଥିଲା । ସ୍କୁଲକୁ ଆସିଲା ବେଳେ ମା’ ଦୁହିଁଙ୍କ ପାଇଁ ଟିଫିନ୍‌, ପାଣି ବୋତଲ ସବୁ ଦେଇଥିଲେ । ଛୁଟି ହୋଇଯିବାରୁ ତାହା ଖିଆ ହୋଇ ନଥିଲା । ଅନ୍ତତଃ ପାଣି ଟିକିଏ ପିଇବାକୁ କହିଥାନ୍ତା ତାରାକୁ । ସେସବୁ କେଉଁଠି ଅଛି କେଜାଣି । ମେଘ କହିଲା– ତୁ ବ୍ୟସ୍ତ ହଅନା ତାରା..... । ଏମିତି କହିଛି, ଅନ୍ଧାର ଭିତରୁ ଦୁନ୍ଦୁଭର ଗର୍ଜନ ଶୁଣାଗଲା ।

 

–ଏ, ଚୁପ୍‌ । ଟୁଁ ଶଦ୍ଦଟାଏ କରିଛତ ତମ ମୁଣ୍ଡଗଣ୍ଡି ଦି’ଖଣ୍ଡ କରିଦେବି । ପିଠିର ଚମଡ଼ା ଗଲୁ କରୁଛି । ଉଠିବି ଯଦି ଏକାବେଳେ ଛାଲ ଉତ୍ତାରି ଦେବି ଜାଣିଥାଅ । ଚୁପ୍‌ ଚାପ୍‌ ପଡ଼ି ରୁହ । ସେତେବେଳକୁ ତାରା ମା’ ଗୋ କହି ମେଘ ଆଡ଼କୁ ଘୁଷୁରି ଆସି ମେଘର ଦେହ ସହିତ ଲେସି ହୋଇଗଲାଣି ।

 

କିଛି ସମୟ ଚୁପ୍‍ଚାପ୍‌ କଟିଗଲା । ସେମାନେ ଯେମିତି ପଡ଼ି ରହିଥିଲେ ମେଘର ମନେ ହେଉଥିଲା ଭୀଷଣ ନିଛାଟିଆ ସ୍ଥାନଟେ । ସହର ତଳର ଅନେକ ଦୂରର ଭଙ୍ଗା ଘରଟାଏ ପରି ଲାଗୁଥିଲା । ଅସନା ଗନ୍ଧ ବି ବାରି ହେଉଥିଲା । ଏମିତି ଅନ୍ଧାର ଯେ ଆଖିରୁ ସୋରିଷ ଫୁଲ ପରି ଜୁଳୁଜୁଳିଆ ପୋକ ବାହାରି ପଡ଼ିଥିଲା । କାନ ପାରିଲେ ମେଘ ଓ ତାରା । ବାହାର ପଟୁ ଠକ୍‌ ଠକ୍‌ ଶଦ୍ଦ ହେଲା ପରି ଶୁଭିଲା । ବୋଧହୁଏ କିଏ ଆସିଲା । କାନ, ଆଖି ପୁରା ସଜାଗ କରି ରଖିଥିଲା ମେଘ ।

 

ଦୁନ୍ଦୁଭ ଉଠିଲା ବୋଧହୁଏ । ଖଟର କେଁ କଟ୍‌ କଟ୍‌ ଶଦ୍ଦ ଶୁଭିଲା । ସେମିତି ଦୁଆର ମଧ୍ୟ ଖୋଲିଲା । ମୁହୂର୍ତ୍ତକ ମଧ୍ୟରେ ସେ ଫାଳେ କବାଟ ଖୋଲି ପୁଣି ବନ୍ଦ କରିଦେଲା, ଭିତରକୁ ଆସିଲା ସେହି ରିକ୍‌ସାବାଲା ଚତୁରା । ତା’ ସହିତ ଆଉ ଜଣେ ଲୋକ । ତା’ କଥାଭାଷାରୁ ଅନ୍ୟ ଦେଶର ପିଲା ପରି ମନେ ହେଉଥିଲା । ଖାକି ହାଫ୍‌ ପ୍ୟାଣ୍ଟ, ହାଫସାର୍ଟ ମୁଣ୍ଡରେ ସାହେବି ଟୋପି, ଗୋଡ଼ରେ ଜୋତା, ଆଖିରେ କଳା ଚଷମା । ସେମାନେ ଜଳାଇଥିବା ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅର ପଲକରେ ଦେଖି ପାରିଥିଲା ମେଘ । ଲଣ୍ଠନଟା ଭିତରକୁ ନେଇଗଲା ଦୁନ୍ଦୁଭ । ପୁଣି ଅନ୍ଧାର ।

 

ତାରା କ’ଣ କହିବାକୁ ଯାଉଥିଲା, ତାକୁ ଅଳ୍ପ ପେଲି ଦେଇ ଚୁପ୍‌ ରହିବାକୁ କହି କାନ ପାରିଲା ମେଘ ।

 

ଦୁନ୍ଦୁଭ କହୁଛି–କ’ଣ ସବୁ ବ୍ୟବସ୍ଥା ହୋଇଗଲା ?

 

–ହଁ ସବୁ ଠିକ୍‌ ଠାକ୍‌ । –ଚତୁରାର ସ୍ୱର ।

 

–ମାଲ ପିଛା କେତେ ଛିଡ଼ିଲା ?

Image

–ମାଲ ପିଛା ପାଞ୍ଚ ହଜାର । ମାନେ, ପୁରା ଦଶ ହଜାର କଥାଟା କିଛି ମାତ୍ରାରେ ବଡ଼ ପାଟିରେ କହି ପକାଇଲା ଦୁନ୍ଦୁଭ ।

 

ଚମକି ଉଠିଲେ ତାରା ଓ ମେଘ । ସେ ଦୁହେଁ ଜାଣି ଗଲେ ଯେ ସେମାନେ ପିଲା ଚୋର । ସାନ ସାନ ପିଲାଙ୍କୁ ଆଣି ବିକା କିଣା ବେପାର କରନ୍ତି । ମାମୁଁ କହୁଥିଲେ ଏହିମାନେ ହିଁ ସବୁଠାରୁ ବଡ଼ ଦେଶଦୋହ୍ରୀ ।

 

ଚତୁରାର ସ୍ୱର ପୁଣି ଶୁଭିଲା । ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ଲାଗିଛି । କିନ୍ତୁ ଧରା ପଡ଼ିବାର ଭୟ ନାହିଁ । ହାତେ ହାତେ କାରବାର । ଏହି ତାଙ୍କ ଲୋକ ମଧ୍ୟ ଆସିଯାଇଛି । ଟଙ୍କା ନେଇ ହାତରେ ଘରର ଚାବି ଦେଇ ଦେବୁ । ବାସ ଆମ କାମ ଶେଷ । ରାତି ପାହିଲା ବେଳକୁ ଏଗୁଡ଼ାକ କେଉଁ ବିଦେଶ ଭୂଇଁରେ ଥିବେ–ହାଃ, ହାଃ, ହାଃ, ଚତୁରାର ହସରେ ସେଇ ଦଦରା ଘରେ ଯେମିତି କଡ଼ କଡ଼ କରି ଉଠିଲା । ତାରା ପୁଣି ଶିହରି ଉଠିଲା ଭୟରେ । କିନ୍ତୁ ଦୁନ୍ଦୁଭର କର୍କଷ ସ୍ୱର ଶୁଣି ସେ ପୁଣି ସ୍ଥିର ହୋଇଗଲା । ଚତୁରାର ପିଠିରେ ହାତ ଥାପୁଡ଼ାଇ କହିଲା ଦୁନ୍ଦୁଭ ସାବାସ୍‌ ! ବାହାଦୁର ଅଛୁ ତୁ ।

 

ଚତୁରା ପୁଣି ଖିଲି ଖିଲି ହୋଇ ହସିଲା । ଦୁନ୍ଦୁଭ କହିବାର ଶୁଣାଗଲା– ବାଃ ଏକାବେଳକେ ଫରେନ ମାଲ । ଏହି ଜନ୍ତୁ ଦୁଇଟା ଦେଶରେ ଥିଲେ ସିନା ଧରା ପଡ଼ିବାର ଭୟ । ନେ ଚତୁରା ତୋ ବକ୍‌ସିସ୍‍, ପରେ ଆଉ ପାଇବୁ । କିଛି ଟଙ୍କା ବଢ଼େଇ ଦବାର ଶବ୍ଦ ହେଲା । ଚତୁରା ଓ ତା’ସହିତ ଆସିଥିବା ବିଦେଶୀ ଲୋକକୁ ନେଇ ଚାଲିଗଲା ବେଳେ ପୁଣି ଦ୍ୱାର ଅଳ୍ପ ଖୋଲିଲା । ସେହି ଅଳ୍ପ ସମୟ ମଧ୍ୟରେ କୋଠରୀର ଚାରିକାନ୍ଥ ଆଡ଼କୁ ଆଖି ବୁଲେଇ ନେଲା ମେଘ । ଅତି ପୁରୁଣା ଭଙ୍ଗା ଆବୁଡ଼ା ଖାବୁଡ଼ା ଚଟାଣ । ଫଟା କାନ୍ଥ ଓ ଛାତ ମଧ୍ୟ କଣା ଥିବ । କବାଟ ବନ୍ଦ କରି ଦେଲାରୁ ହାବୁକାଏ କଦର୍ଯ୍ୟ ଦୁର୍ଗନ୍ଧ ନାକ ଭିତରକୁ ପଶି ଆସିଲା । ତାରା ଭକ୍‌କରି ମେଞ୍ଚାଏ ବାନ୍ତି କରି ପକାଇଲା ।

 

ବର୍ତ୍ତମାନ ଆଗର ଅନ୍ଧାର କିଛିଟା ଆଖିକୁ ସହି ଗଲାଣି । ଏଥର ଫଟା କାନ୍ଥର ଫାଙ୍କ ଦେଇ କିଛି ଆଲୁଅ ଦିଶିଲା ପରି ଲାଗିଲା । ମେଘ ଲକ୍ଷ୍ୟ କଲା, ତା’ର ଅଳ୍ପ ଦୂରରେ ଖଟଟେ । ତାହାରି ଉପରେ ଚିତ ହୋଇ ଶୋଇଛି ଦୁନ୍ଦୁଭ । ଖଟର ଦଉଡ଼ି ଏତେ ହୁଗୁଳା ଯେ, ଦୁନ୍ଦୁଭର ପିଠି ଝୁଲି ପଡ଼ି ପ୍ରାୟ ଲାଗି ଯାଉଥିବ ଚଟଣାରେ । ମୁଣ୍ଡ ପାଖର କୋଣକୁ ତା’ ଲାଲିପପ୍‌ ବାଡ଼ି ଓ ପେଟି-। କାନ୍ଥରେ ଧନୁଶର, ତେଣ୍ଟା ଛୁରୀ ଆହୁରି କ’ଣ କ’ଣ ଅସ୍ତ୍ର ଶସ୍ତ୍ର ଲଟକା ହୋଇଥିଲା ଭଲ ଭାବରେ ଜଣା ପଡ଼ୁନଥାଏ । ମୁଣ୍ଡ ଉଠାଇ ଆହୁରି କିଛି ଦେଖିବାକୁ ଚେଷ୍ଟା କରୁଥିଲା ମେଘ କିନ୍ତୁ ମୁଣ୍ଡ ନୁଆଇଁ ଦେଲା । କାରଣ ଦୁନ୍ଦୁଭ ଉଠିବାର ଶବ୍ଦ ହେଲା । କେଉଁଠି ପାଣି ଢାଳି ମୁହଁ ହାତ ଧୋଇଲା ବୋଧହୁଏ ଦୁନ୍ଦୁଭ । ତା’ପରେ ପୋଷାକ ପତ୍ର ପିନ୍ଧି ନିଜର ଲାଲିପପ୍‌ ବାଡ଼ିକୁ ଧରି ବାହାରକୁ ଯିବା ପାଇଁ । ଯିବା ଆଗରୁ ମଚ ମଚ କରି ତାରା ଓ ମେଘ ଥିବା ଘରେ ଆସି ଛିଡ଼ା ହେଲା

 

ଆଦେଶ ଦେଲା ପରି ଦୁନ୍ଦୁଭ କହିଲା, ହେ ପିଲେ, ଚୁଁ ଶବ୍ଦ କରିବନି କହି ଦେଉଛି । ଚୁପ୍‌ ଚାପ୍‌ ଶୋଇ ରହିଥିବ । ଆଉ ହେଇ ନିଅ ପାଉଁରୁଟି ଅଛି ଏହି ପଲିଥିନ୍‌ ଖୋଳ ଭିତରେ । ଭୋକ ହେଲେ ଖାଇବ କହି ଫୋପାଡ଼ିଲା ପରି ପକେଇ ଦେଲା ତାଙ୍କ ଉପରକୁ । ସେ କୋଣକୁ କଳସୀରେ ପାଣି ଅଛି । ମୁଁ ଚାଲିଲି । ଭଟା ଭଟ୍‌ କବାଟ ବାହାର ପଟରୁ ତାଲା ପକେଇ ବାହାରି ଗଲା ।

 

ଓଃ, ନିଶ୍ୱାସ ମାରିଲେ ମେଘ ଓ ତାରା । ଭୟରେ କହି ପାରିଲେନି ହାତ ଗୋଡ଼ ବନ୍ଧା ଅଛି ଖାଇବା କେମିତି ।

 

ତାରା କହିଲା–ଭାଇ ଭାରି ଭୋକ ।

 

ମେଘ ମଧ୍ୟ ମୁଣ୍ଡ ହଲାଇଲା । ମୋତେ ମଧ୍ୟ......., ହେଲେ ହାତ ନଖୋଲିଲେ ଖାଇବା କେମିତି ? ମେଘ ଆଣ୍ଠେଇ ପଡ଼ିଲା । ଦେଖିଲା ଖଣ୍ଡେ ଦୂରରେ ତା’ ବ୍ୟାଗ୍‌ ପଡ଼ିଥିବା ପରି ମନେ ହେଲା । ସେ ହାମୁଡ଼େଇ ହେଲା ପରି ପଛେଇ ଆସିଲା । ତାରା ମଧ୍ୟ । କାରଣ ଏକାଠି ଗୋଡ଼ ବନ୍ଧା ହୋଇଥିଲା ସେମାନଙ୍କର । ଆଉଜି ବସିଲା ମେଘ । କହିଲା– ଆଗ ଗୋଡ଼ ଦଉଡ଼ା ଖୋଲିଲେ ସିନା ଯୋଉ କଥା ? ମେଘ କହିଲା– ଘରର ଫଟା କାନ୍ଥ ଓ ଦରଜା ଫାଙ୍କରେ କିଛି ଆଲୋକ ଜଣା ପଡ଼ୁଛି । ବେଳ ସରି ଆସିବାର ଚିକଣ ଆଲୋକ । ମେଘ କହିଲା– ଦେଖାତ ତୋ ହାତର ଦଉଡ଼ି ଫିଟାଇ ହବକି ନାହିଁ ? ତା’ପରେ ଦାନ୍ତରେ କାମୁଡ଼ି ଟାଣି କୌଣସି ପ୍ରକାରେ ତାରାର ହାତ ବନ୍ଧା ଦଉଡ଼ି ଖୋଲିଲା । ମେଘ କହିଲା–ପାଣି ଆଣ ।

Image

ତାରା ସେମିତି ଘୁଷୁରୀ ପେଟେଇ ହୋଇ ପାଣି ବୋତଲ ଓ ବ୍ୟାଗ୍‌ ଆଣିଲା । ବ୍ୟାଗ୍‌ରେ ତାଙ୍କ ଜଳଖିଆ ସେମିତି ଥିଲା । ତାରା ମେଘକୁ ଖୁଆଇ ଦେଲା ଓ ନିଜେ ଖାଇଲା । ପାଣି ପିଇ କିଛିଟା ସୁସ୍ଥ ହେଲେ । ଦେହକୁ ବଳ ମଧ୍ୟ ଆସିଲା ।

 

ମେଘ କହିଲା–ଆ, ତାରା । ହାତ ପାଦରେ ବନ୍ଧା ଦଉଡ଼ି ଖୋଲିଲେ ଯାଇ ଯେଉଁ କଥା-। ରାତି ଦୁଇଟା ପୂର୍ବରୁ ଏଠାକୁ କେହି ଆସିବାର ନାହିଁ । ତେଣୁ ଆମକୁ ଯେମିତି ହେଲେ ଏଠାରୁ ବାହାରି ଯିବାର ଉପାୟ କରିବାକୁ ହେବ ।

Image

ତାରା କହିଲା, ଉପାୟ ପାଞ୍ଚ । ମୋର ଓ ତୁମ ବ୍ୟାଗ୍‌ରେ ଜ୍ୟାମିତି ବାକ୍ସରେ କମ୍ପାସ କଣ୍ଟା ଓ ଡିଭାଇଡ଼ର ଅଛି । ଦୁଇଟା ଯାକ କଣ୍ଟା ଗୋଡ଼ର ଚେନ ମଝିରେ ପୁରାଇ ଦେଲେ । ତା’ ଆଗରୁ ତ୍ରିଭୁଜର ଧାରୁଆପଟ ଘଷି ଘଷି ମେଘର ହାତ ବନ୍ଧା ଦୌଡ଼ି କାଟି ପକାଇଲେ, ଭାଗ୍ୟକୁ ହାତରେ ଶିକୁଳି ବାନ୍ଧି ନଥିଲା । କମ୍ପାସ କଣ୍ଟା ଗୋଡ଼ର ଚେନ୍‌ ଭିତରେ ଭର୍ତ୍ତି କରି ମାଟିକୁ ଠେସି ରଖି ମୋଡ଼ିବାକୁ ଲାଗିଲା । ତାରା ତା’ର ସ୍କିପିଙ୍ଗ୍‌ ଦୌଡ଼ାଟା ବେକରେ ଗଳେଇ ଖଟ ଖୁରାରେ ବାନ୍ଧି ଟାଣିବାକୁ ଲାଗିଲା । ଏହିପରି କିଛି ସମୟ ଟଣା ଟଣି କଲାରୁ ଖସି ଆସିଲା ଶିକୁଳିଟା । ଆଗ ତାରାର, ତା’ପରେ ମେଘର । ମୋଜା ଥିବା ହେତୁ ଅଧିକ ସୁବିଧା ହେଲା । ପାଦ ଗୋଇଠି ଛିଡ଼ିଗଲା ନାହିଁ । କିନ୍ତୁ କହୁଣୀରୁ ମେଞ୍ଚାଏ ଛିଣ୍ଡିଗଲା । ତାକୁ ଦେଖିବାର ବେଳ ନାହିଁ । ମେଘ ଛିଡ଼ା ହୋଇ ଗୋଡ଼ ହାତ ସଳଖି ନେଲା । ହେଲେ ବାହାରକୁ ବାହାରି ଯିବାର ଉପାୟ ? ସବୁଆଡ଼ ବନ୍ଦ-। କୋଠରୀର ଝରକା ନାହିଁ ।

 

ତାରା କହିଲା, ଭାଇ ଲୁଚିକରି ଶିକ୍ଷକକୁ ନକହି ପଳେଇ ଆସିବା ଆମର ଜମା ଉଚିତ ହୋଇନାହିଁ ।

 

–ହଁ, ତୁ ଠିକ୍‌ କହିଛୁ ତାରା । ବଡ଼, ଗୁରୁଜନଙ୍କ କଥା ସବୁବେଳେ ମାନିବା ଉଚିତ । ମୋର ମନେ ପଡ଼ୁନି ଜେଜେମା, ସେଦିନ ଆମକୁ କହୁନଥିଲେ ସାହିତ୍ୟ ସୋପାନ ନା କେଉଁ ବହିରେ ସେ ପଢ଼ିଥିଲେ, କ’ଣ ଲୋ ସେ ପଦଟା ?

 

ତାରା କାନ୍ଦ କାନ୍ଦ ହୋଇ ଗାଇବାକୁ ଆରମ୍ଭ କଲା–

 

ପିତା ମାତା ଗୁରୁ କହନ୍ତି ଅବା କରନ୍ତି ଯାହା,

ପିଲାଙ୍କ ମଙ୍ଗଳ ପାଇଁକି ଏବେ ଜାଣିଲି ଏହା ।

 

ମନେ ପଡ଼ିଲାରୁ ତା’ ସହିତ ସ୍ୱର ମିଳାଇ ମେଘ କହିଲା–

 

ଆଉ ନ ହୁଡ଼ିବି ଏଣିକି ଗୁରୁଜନ ବଚନ,

ହୁଡ଼ିଲେ ନିଶ୍ଚୟ ଭୋଗିବି ପଦେ ପଦେ କଷଣ ।

କିନ୍ତୁ ଏବେ କ’ଣ କରିବା ଯେ ? ତାରାର ପ୍ରଶ୍ନ ।

 

ମେଘ ବସି ପଡ଼ି ଅଣ୍ଡାଳି ହୋଇ କ’ଣ ଖୋଜି ଲାଗିଲା । ଏବଂ ଦୁନ୍ଦୁଭର ବିଛଣା ଅଣ୍ଡାଳୁ ଅଣ୍ଡାଳୁ ତା’ ହାତରେ ଦିଆସିଲିଟେ ବାଜିଲା । ସାଙ୍ଗେ ସାଙ୍ଗେ କାଠି କାଢ଼ି ଜାଳିଦେଲାରୁ ଘରର ସବୁ ନହେଲେ ବି ବହୁତ କିଛି ଦେଖି ପାରିଲା । ପାଖରେ ଡିବିରୀ ବତୀଟିଏ ମଧ୍ୟ ଦେଖି ସାଙ୍ଗେ ସାଙ୍ଗେ ନିଆଁ ଛୁଆଁଇ ଦେଲା । ଡିବିଟା ଜଳିବାରୁ କିଛିଟା ସାହାସ ମିଳିଲା ସେମାନଙ୍କୁ ।

 

ତାରା କହିଲା, ଭାଇ ଦେଖିଲ ଏଗୁଡ଼ାକ କ’ଣ ?

 

ମେଘ ଦେଖିଲା କିଛି ରନ୍ଧାରନ୍ଧିର ବାସନ କୁସନ, ଷ୍ଟୋଭ, ହାଣ୍ଡି, ଚଟୁ, କରଚୁଲି, ପିଠାପାତିଆ ସଣ୍ଡୁଆସି ଇତ୍ୟାଦି ଭିଣାଭିଣି ହୋଇ ପଡ଼ିଛି । ଅସରପା ପଲ ମେଳା କଲା ପରି ଜମାଟ ହୋଇ ଧାଉଁଛନ୍ତି ଏଣେ ତେଣେ । ଚୁଚୁନ୍ଦ୍ରା, ମୂଷା ଆହୁରି କେତେ କ’ଣ ଜୀବ ବି ଥାଇ ପାରନ୍ତି । ପ୍ରଥମରେ ହାତ ଲଗାଇବାକୁ ଭୟ କରୁଥିଲା ମେଘ । ତାରା ଡିବି ନେଇ ପୁରା କୋଠରୀ ଦରାଣ୍ଡି ଲାଗିଥିଲା, ଏବଂ ବସି ପଡ଼ି ଅଳ୍ପ ଉଚ୍ଚା ସ୍ୱରରେ ଡାକିଲା ମେଘ ଭାଇ ଦେଖିଲ, ମେଘ ରାସ୍ତାଟିଏ ମିଳିଗଲାକି ବୋଲି ଧାଇଁ ଆସିଲା ।

 

–କ’ଣ, କ’ଣ ଦେଖିଲୁ ? –ଆରେ ହଁ ଏଇଟା ଗୋଟାଏ ଗାତଟାଏ, ନାଳିଟାଏ ମ ! ହୁଣ୍ଡି କାହିଁକି..... ।

 

ତାରା ଭେଁ ଭେଁ ହୋଇ କାନ୍ଦି ଉଠିଲା । ଆଜି ରାତିରେ ନିଶ୍ଚୟ ରାକ୍ଷସଟା ଆମକୁ ବିଦେଶକୁ ପଠାଇଦେବ । ଆମେ ଆଉ ଆମର ବାପା ମା’ କାହାକୁ ଦେଖି ପାରିବାନି । ଉଁ ଉଁ ଉଁ...... ।

Image

ମେଘର ମଧ୍ୟ ଖୁବ୍‌ ଚିନ୍ତା ହେଲା । ସେ ରୁମାଲ୍‌ କାଢ଼ି ତାରାର ଆଖି ପୋଛି ଦେଲା । କହିଲା, ସୁନା ଭଉଣୀ କାନ୍ଦନା । ବିପଦ ବେଳେ ସାହାସ କରନ୍ତି, କାନ୍ଦନ୍ତିନି । ମନେ ମନେ ବିଚାରୁଥିଲା ସବୁଆଡ଼ ତ ବନ୍ଦ, ନିବୁଜ ଅନ୍ଧାର କୋଠରୀ, ଜନମାନବ ନ ଥିବା ଏ ସ୍ଥାନ । କ’ଣ ଯେ ଉପାୟ କରିବ ?

 

ଅସରପା ଗୁଡ଼ାକ ଦେହ ଉପରକୁ ଚଢ଼ି ଯାଉଛନ୍ତି । କାନମୁଣ୍ଡରେ ସଲ୍‌ ସଲ୍‌ ହୋଇ ଧାଇଁ ବୁଲୁଛନ୍ତି । ତାରା ଖାଲି ହାତ ଛାଟି ଧେତ୍‌ ଧାତ୍‌ କରିବାରେ ଲାଗିଛି । ଡିବିରି ବତୀରୁ ତେଲ ମଧ୍ୟ ଶେଷ ହେବା ଉପରେ । ତାରା ବିକଳରେ କହିଲା, ଉପାୟ ଚିନ୍ତା କର ଭାଇ ।

 

–ଉପାୟ ? ମେଘ ମୁଣ୍ଡରେ ହାତ ଦେଇ ବସି ପଡ଼ିଲା । ସେତିକିବେଳକୁ କେଉଁଆଡ଼ୁ ଗୋଟାଏ କ’ଣ କୁଁ ,କୁଁ, ମିଉଁ ମିଉଁ ଆବାଜ ହେବାର ଶୁଣାଗଲା । ତାରା ଓ ମେଘ ବିକଳିଆ ହୋଇ କାନ ପାରିଲେ । ସେ ଶୁଣିବାକୁ ପାଇଲେ ସେହି ଯେଉଁ ଘରର କୋଣକୁ ନାଳଟାଏ ଅଛି ତା’ରି ଭିତରୁ ଏ ସ୍ୱର ଶୁଭୁଛି । ଦୁହେଁ ମନ ଲଗାଇ ଶୁଣିବାକୁ ଚେଷ୍ଟାକଲେ । ସେହି ଗାତ ଭିତରୁ ମିଆଉଁ ମିଆଉଁ ବୋବାଉଥିବା ଶୁଣି ତାରା କହିଲା– ଭାଇ ଏ ତ ଆମ ବାଘୁଇର ସ୍ୱର ।

 

ମେଘ ମଧ୍ୟ କାନ ଡେରି ଶୁଣି କହିଲା–ହୁଁ, ଏ ନିଶ୍ଚୟ ଆମ ବାଘୁଇର ଡାକ । ମେଘର ବାଘୁଇର କଥା ମନେ ପଡ଼ିଲା । କହିଲା– ତାରା ତୋର ମନେ ଅଛି ନା, ବାଘୁଇର ପିଲାଦିନର କଥା ? ସେ କେମିତି ଆମ ଘରକୁ ଆସିଲା ତୋର ମନେ ଅଛି କି ?

 

–ହୁଁ, ମନେ ନାହିଁ ନାକୋଇ ସ୍ୱରରେ କହିଲା ତାରା ।

 

ସେହି ଯେଉଁଦିନ ହରି ମଉସାଙ୍କ ଘରୁ ଭୋଜି ଖାଇ ଫେରୁଥିଲେ ଏ ସ୍କୁଟରରେ ? କୁନି ପିଲାଟାକୁ ଧରି ତା’ ମା’ ରାସ୍ତା ପାରି ହଉଥିଲା ବେଳେ ଟ୍ରକ ମାଡ଼ି ଯାଇ ତା’ ମା’ ମରିଗଲା ଆଉ ଇଏ ଖଣ୍ଡେ ଦୂରକୁ ଛିଟିକି ପଡ଼ି ବିକଳରେ ମିଁ ମିଁ ହେଇ କାନ୍ଦୁଥିଲା । ବାସ୍‌ ତୁ ଦେଖି ଦେଇ ଜିଦ୍‌ ଧରିଲୁ ତାକୁ ଘରକୁ ନେବା ପାଇଁ ।

 

–ବାଃ ତମର ପୂରା ମନେ ଅଛି । ତା’ପରେ ମିଠା ପୁଡ଼ିଆ ବାହାର କରି ସେହି ପଲିଥିନ୍‌ ଖୋଳରେ ତାକୁ ଭର୍ତ୍ତିକରି ନେଇ ଆସିଥିଲୁ, ନାହିଁ ?

Image

ଏତେ ଦୁଃଖ ମଧ୍ୟରେ ବି ମେଘ ହସିଦେଲା, ଭଉଣୀର କଥା ଶୁଣି । କହିଲା, ବାଘୁଇଟା ଦେଖିବାକୁ କଳାଧଳାର ଛିଟ୍‍ଛିଟା ବାଘଟାଏ ପରି । ଜେଜେମା’ ତା’ ନାଁ ଦେଲେ ବାଘୁଇ । ସେ ଆମକୁ ନଦେଖି ନିଶ୍ଚେ ଖୋଜିବାକୁ ଆସିଥିବ । ବାଘୁଇର ସ୍ୱର ଆସୁଥିବା ପାଖକୁ ଯାଇ ଆଣ୍ଠେଇ ପରୀକ୍ଷା କରିବାକୁ ଯାଇ ଦି’ ପାହୁଣ୍ଡ ପଛେଇ ଆସିଲେ ସେମାନେ ? ଓଃ ହୋ, କି ଦୁର୍ଗନ୍ଧ । ନାକରେ ହାତ ଚାପିଲା ତାରା । ହେଲେ ଉପାୟ କ’ଣ ? ବିପଦ ବେଳେ ସ୍ଥାନ ଅସ୍ଥାନ ସଫା ଅସନା କ’ଣ ଦେଖିଲେ ଚଳିବ ! ବତୀ ନେଇ ଭଲ କରି ଦେଖିଲା ମେଘ । କହିଲା, ଏଇ ବେଶ ବଡ଼ ଓସାରିଆ ନାଳଟା ତଳକୁ ବିରାଟ ଗାତ । ବୁଝିଲୁ, ଯେଉଁ ପିଲାମାନଙ୍କୁ ଧରି ଆଣେ ଏଇଠି ସେମାନଙ୍କୁ ଏକ ଦୁଇ ସବୁ କରାଇ ପକାନ୍ତି । ଉପାୟ ପାଞ୍ଚିଲା ମେଘ । ଏ ଅସନା ଗୁଡ଼ାକ କେମିତି ସଫା କରିବ ?

 

ବୁଦ୍ଧି ଦେଲା ତାରା । –ଭାଇ ପାଣି କଳସୀ ଅଜାଡ଼ି ଦିଅ । ପାଣି କଳସୀ ଅଜାଡ଼ି ଦେଲାରୁ ଅନେକଟା ପରିଷ୍କାର ଲାଗିଲା ।

Image

ମେଘ କହିଲା, “ବୁଦ୍ଧିମତୀ ଅଟୁ । ଉପସ୍ଥିତ ବୁଦ୍ଧିରେ ଫାଷ୍ଟ ହେବୁ ତୁ ।”

 

ସେପଟେ ରପସ୍‌ ରପସ୍‌ କରି କ’ଣ କୋରୁଥାଏ । ତାରା କହିଲା କ’ଣ ଗୋଟେ ନଖ ସାହାଯ୍ୟରେ କୋରୁଛି । ଦେଖୁନୁ, କେମିତି କାରୁରୁ କାରୁର କରୁଛି ବାଘୁଇ ? ପିଠା ପାତିଆଟାଏ ବଢ଼ାଇ ଦେଇ କହିଲା ତାରା ।

 

ଧାପାସ୍‌ ଧାପାସ୍‌ କରି ନାଳ ଭିତରେ ବାଡେଇବାକୁ ଲାଗିଲା ମେଘ । ଖୁସୁଣୀ ଦେଇ ପେଲି ଲାଗିଥାଏ ତାରା । ସେପଟେ ବାଘୁଇ । ରାତି ବଢ଼ି ଲାଗିଥାଏ । ଦିହେଁ ଥକି ଯିବା ଅବସ୍ଥା ବେଳକୁ ସେହି ପାଖରେ ଲୁହା ସାବଳ ପରିକା ମୋଟା ରଡ୍‌ଟିଏ ଆଖିରେ ପଡ଼ିଲା । ତାକୁ ନେଇ ଆସି ଦୁହେଁ ଏକାଠି ମାରିଛନ୍ତି ଦି’ ଚାରିଥର କି ଭୁସ୍‌ ଭାସ୍‌ ହୋଇ ସେପଟ ପଥର ଖଣ୍ଡେ ଗଡ଼ି ପଡ଼ିଲା । ଆଃ ପାଇଗଲୁ, –ବାଟ ପାଇଗଲୁ ତାଳି ବଜାଇ ଦିହେଁ ନାଚି ଉଠିଲେ ବାଘୁଇ ମଧ୍ୟ ଭିତରକୁ ପଶି ଆସିଲା ।

 

ଶୀଘ୍ର ପଳେଇ ଯିବାକୁ ଜୋତାର ଫିତା ବ୍ୟାଗ୍‌ ଇତ୍ୟାଦି ଟଣା ଟଣି କରିବା ଲଗେଇ ଦେଲା ବାଘୁଇ । ମେଘ ଭଲ କରି ଡିବିରି ନେଇ ଦେଖି ନେଲା । କହିଲା– ଭୟ ନାହିଁ ତାରା । ନାଳ ବେଶ୍‌ ଚଉଡ଼ା ଅଛି । ଆମେ ଆରାମରେ ବାହାରି ଯାଇ ପାରିବା । ଚଞ୍ଚଳ ଡେରି କରନା । ପ୍ରଥମେ ମେଘ ସେପଟକୁ ବାହାରିଗଲା । ଅବଶ୍ୟ ଏତେ ସହଜରେ ନୁହଁ । ନାଳ ଖୁବ୍‌ ଗଭୀର, ଟିକିଏ ଖସିଲେ କୁଆଡ଼କୁ ଧସେଇ ଯିବ । ତେଣୁ ତା’ ଧାରକୁ ଯେଉଁ ଅମରି ଗଛ ଓ କଣ୍ଟା ବୁଦା ଅଛି ତାକୁ ଧରି ସାବଧାନରେ ବାହାରି ପଡ଼ିଲା । କୋଳି କଣ୍ଟା ମଧ୍ୟ ଦି’ଚାରି ଜାଗା ହାତରେ ଫୁଟିଗଲା । ପ୍ୟାଣ୍ଟ ପଛରେ ହାତ ପାପୁଲି ଘଷି କହିଲା– ତାରା ଆ– ।

 

ବ୍ୟାଗ ଇତ୍ୟାଦି ପିଠିରେ ଲଗେଇ ଦେଲେ । ବାଘୁଇ ଆଗରେ ଆଗରେ ଧାଇଁ ଲାଗିଲା-। ତାକୁ ଅନୁସରଣ କରି ଧାଇଁ ଚାଲିଲେ ମେଘ ଓ ତାରା । ଜହ୍ନ ରାତି ସବୁ ତୋଫା ଦିଶୁଥିଲା-। ବାଘୁଇ କେତେବେଳେ ଧାନ ଖେତ ଭିତରେ ଲୁଚି ଯାଉଥିଲା ପୁଣି କେତେବେଳେ ଦିଶିଯାଉଥାଏ-। ମିଆଉଁ ମିଆଉଁ କରି ନିଜର ଉପସ୍ଥିତ ଜାହିର କରୁଥାଏ । ଧାନ କେଣ୍ଡା ଦୋହଲିବା ଦେଖି ଏମାନେ ଧାଉଁଥାନ୍ତି । ଗୁଡ଼ାଏ ବାଟ ଏମିତି ପଡ଼ି ଉଠି ଧାଇଁଲା ପରେ ଗୋଟିଏ ନାଳ ପାଖରେ ଯାଇ ପହଞ୍ଚିଲେ । ବାଘୁଇ ବସି ପଡ଼ି ଗୋଡ଼ ପିଠି ଚାଟି ହଉଥାଏ । ବିଚାରୀ ବହୁତ ଥକି ପଡ଼ିଛି ନାହିଁ ତାରା ? ତାରାକୁ କ’ଣ କମ୍‌ ଥକ୍କା ଲାଗୁଛି । ସେ କେବଳ ମୁଣ୍ଡ ହଲାଇଲା । ବସିବୁ କି-? ପଚାରିଲା ମେଘ ।

Image

ଆଉ ବସିବ କ’ଣ, ଆଗରେ ମସ୍ତବଡ଼ ନାଳୀ । କାହିଁ କେତେ ଦୂରକୁ ଲମ୍ବି ଯାଇଛି । ଖାଲି ଧାନବିଲ, କିଆବୁଦା, ଝିଁ ଝିଁ ପୋକର ଦୋବାଳୀ । ସେମାନେ ବସି ପଡ଼ିଥିଲେ ସେଇଠି । ବିରାଟ ଉଇ ହୁଙ୍କା ଗୋଟା ଗୋଟା ହୋଇ ଦେଉଳ ଭଳିଆ ଛିଡ଼ା ହୋଇଛି । ତା’ଉପରେ ଜହ୍ନ ଆଲୁଅ ଚିକ୍‌ ଚିକ୍‌ ମାରୁଛି, ମସ୍ତବଡ଼ ନାଗ ଖୋଳ ।

 

–ଇଲୋ ମା’ଲୋ, କହି ଜାବୁଡ଼ି ଧରିଲା ମେଘକୁ ତାରା । ମେଘର ମଧ୍ୟ ସାପକୁ ବହୁତ ଡର । ଅଳ୍ପ ଟିକିଏ ଘୁଞ୍ଚି ଆସିଲେ ଦିହେଁ । ତା’ ଆଗରେ ବିରାଟ ନାଳ । ପାଣି ଭରପୁର । କେମିତି ପାରିହବା ଯେ ? କହିଲା ତାରା ।

 

ମେଘ ଭାବିଲା, ସତେତ ସିଏ ବା ଯାହା ଯେମିତି ବୁଡ଼ି ପାରି ହୋଇଯିବ । ବାଘୁଇ ତା’ର ଡିଆଁ ଡେଇ କରି ଯାହାବି ହବ କିନ୍ତୁ ତାରା ? ସେ’ ତ ଜମା ପହଁରା ଜାଣେନା । ତାରାର ପୁଣି କଇଁ କଇଁ କାନ୍ଦ...... ।

 

ବାଘୁଇ କୁଆଡ଼ୁ ଧାଇଁ ଆସି ତାରା ଓ ମେଘର ପ୍ୟାଣ୍ଟ, ଜୋତା, ମୋଜା ଟାଣିଲା । କ’ଣ ଆଉ ? ସେହି ତ ଭରସା ଦୁହିଁଙ୍କର । ତା’ ନିର୍ଦ୍ଦେଶ ମାନିବା ବିନା ଅନ୍ୟ ଗତି ନାହିଁ । ଚାଲିଲେ ତା’ ପଛରେ ପଛରେ । କୁଆଡ଼େ ସେମାନେ ଯାଉଛନ୍ତି, ଏବେ କେଉଁଠି ଆସି ପହଞ୍ଚିଛନ୍ତି କିଛି ବି ଜଣା ପଡ଼ୁନି । ବାଘୁଇ ଯେଉଁଠି ନେଇ ଛିଡ଼ା ହେଲା, ଦେଖିଲେ, ସେଇଠି ନାଳର ଏପାରିରୁ ସେପାରିକୁ ଯିବା ପାଇଁ ଲମ୍ବା ତାଳ ଗଛଟାଏ ପକା ହୋଇଛି । ଆଗରେ ବାଘୁଇ ହାତ ଧରା ଧରି କରି ମେଘ ଓ ତାରା ପଛରେ ପାରି ହେବାକୁ ଲାଗିଲେ ।

 

ସେପଟରୁ ଏପଟକୁ ଆସିଲା ପରେ ବାଘୁଇକୁ କୋଳ କଲା ତାରା । ମେଘ ହାତ ବୁଲାଇ ଦେଲା ବାଘୁଇର କାନ ଓ ପିଠିରେ । ସିନା ପିଲାଟିଏ ଲୋ ବାଘୁଇ । ତୁ ନ ଥିଲେ ଆମର ଆଜି ଯେ କ’ଣ ହୋଇଥାନ୍ତା...... ? ବାଘୁଇ ମଧ୍ୟ ଆଦର ପାଇ କିଛି କେବଳ ଘୁଡ଼ୁରୁ ଘୁଡ଼ୁରୁ କଲା ଆଖି ବୁଜି ।

 

ମେଘ କହିଲା, ଆଉ ଭଲ ନାହିଁ ତାରା । ଏହି କିଆ ବୁଦା ପାରିହେଲେ ସଡ଼କ ଆସିବ-। ଥରେ ସଡ଼କ ଉପରକୁ ଉଠି ଗଲେ ଲୋକ, ଚକାଚକ ଗାଡ଼ି ମଟର ଦୋକାନ ବଜାର ପଡ଼ିବ-। କାହାକୁ ପଚାରି ନିଜ ଘରକୁ ଯାଇ ପାରିବ । କିମ୍ବା ଖବରଟେ ଦେଇ ହେବ । ଆ ତାରା । ବାଘୁଇ ଚାଲ । ଏତିକି କହି ଦି ପାହୁଣ୍ଡ ଯାଇଛନ୍ତି କି ନାହିଁ ତାରା ଚିଲେଇ ଉଠିଲା–ଭାଇ.... ଏ, ଚୁପ୍‌, କହି ତାରାର ପାଟିରେ ହାତ ଚାପା ଦେଇ କିଆ ଲଟା ଭିତରକୁ ଟାଣି ନେଇଗଲା ମେଘ ।

Image

ଏପଟେ ଦୁନ୍ଦୁଭ ମଧ୍ୟ ପାଟି କରି ଦୌଡ଼ି ଆସିଲା–ହେ, ଧର ଧର ଚତୁରା । ଦୁଷ୍ଟ ଗୁଡ଼ାକ ଏଇଠି ଅଛନ୍ତି ନା କ’ଣ । ଦେଖ, ଦେଖ ଭଲ କରି । ଚତୁରା ଚଟି ଫଟ୍‌ ଫଟ୍‌ କରି ମାଡ଼ି ଆସୁଥିଲା । ଫିସ ଫିସ କଲା ତାରା ଏଥର ଆଉ ରକ୍ଷା ନାହିଁ । ଆମକୁ ଏଇଟି ଭିତରୁ ଘୋଷାରି ନେବେ । ହାତ ଗୋଡ଼ ଭାଙ୍ଗି ଆଖିରେ ପିନ୍‌ କଣ୍ଟା ଫୋଡ଼ି ଦେବେ । ଛୁଆଧରାଙ୍କ ବିଷୟ ଏଣୁ ତେଣୁ ଶୁଣିଥିବା କଥା ଗୁଡ଼ିକ କହି ପକାଇଲା ତାରା । ସେତିକିବେଳେ ବାଘୁଇ କ’ଣ କଲାନା ମିଆଉଁ କହି କୁଦାଟାଏ ମାରି ବାହାରି ପଡ଼ିଲା । –ଧେତ୍‌ ତେରିକି ଓଲୁ, ବିରାଡ଼ି ଦେଖି ମଣିଷ କହୁଛୁ । –ଆ ପଳେଇ ଆ, କହି ଉଠିଲା ଦୁନ୍ଦୁଭ । ସେ ଦୁଇ ଜଣ ଯାକ ପଛଘୁଞ୍ଚା ଦେଇ ପଳେଇଗଲେ ।

 

କିଛି ସମୟ ଅପେକ୍ଷା କଲା ପରେ ମେଘ ଓ ତାରା ଲଟି ଭିତରୁ ବାହାରି ଆସିଲେ । ମେଘ କହିଲା–ହେଇ ସଡ଼କ ଦିଶିଲାଣି । ଜହ୍ନ ଆଲୁଅରେ କ’ଣ ମିଚ୍‌ ମିଚ୍‌ ସଡ଼କ ଦେଖାଯାଉଥିଲା-। ସେ ଦିଗକୁ ଆଖି ଦେଖେଇ ତାରା କହିଲା, ରାତିର ନିଛାଟିଆ ସଡ଼କ ଉପରେ ଯିବା ଉଚିତ ହବନି । ଦୁନ୍ଦୁଭ ଓ ଚତୁରା ଆମକୁ ଖୋଜୁଛନ୍ତି, ଧରି ପକାଇବେ । ରାତି କେତେ ହେଲାଣି କେଜାଣି–କହିଲା ତାରା । ତାରା ହାତରେ ଘଡ଼ି ନଥିଲା । ସେ ସାନ ପିଲାଟେ, ହଜେଇ ଦେବ ବୋଲି ତା’ ପାଇଁ ଘଡ଼ି କିଣା ହୋଇନି । ମେଘ ହାତରେ ଲଲୋକ୍‌ଟ୍ରୋନିକ ଘଡ଼ି ବନ୍ଧା ହୋଇଥିଲା-। ଅନ୍ଧାରରେ ମଧ୍ୟ ଦେଖାଯାଏ । ତଥାପି ଜହ୍ନ ଆଲୁଅକୁ ହାତ ଉଠେଇ ଦେଖି ନେଇ କହିଲା–ତିନିଟା ବାଜିବାକୁ ପଚିଶ ମିନିଟ୍‌ ବାକି ଅଛି ।

 

ଭାଇ ଚାଲ କେଉଁ ଗଛ ତଳେ ବା କେଉଁଠି ବସି ରାତିଟା କଟାଇଦବା । ଅଳ୍ପ ଫରଚା ହେଲେ ସଡ଼କ ଉପରକୁ ଯିବା । ସତ କଥା, ମନକୁ ପାଇଲା ମେଘର । ଚୋର ଗୁଡ଼ା ନିଶ୍ଚୟ ଖୋଜି ହେଉଥିବେ । ନିଝୁମ ସଡ଼କ ଉପରକୁ ଯିବା ଉଚିତ ହେବନି । କେଉଁଠି ବସି ଘଡ଼ି ରାତିଟା କଟାଇବେ ବୋଲି ମେଘ ଏଣେ ତେଣେ ଆଖି ବୁଲାଇଲା । ଅଳ୍ପ ଦୂରରେ ଧଳା ହୋଇ କୋଠାଟିଏ ଥିଲା ପରି ମନେ ହେଲାରୁ କହିଲା–ଦେଖିଲୁ ତାରା ହେଇ ଦୂରକୁ ଯେଉଁ ଧଳା ହୋଇ ଘରଟେ ଦିଶୁଛି । ତାରା ଭଲ କରି ଦେଖି ନେଇ କହିଲା, ହଁ ଭାଇ ସେଇଟା ଗୋଟାଏ ପେଟ୍ରୋଲ ପମ୍ପ ପରି ମନେ ହଉଛି । ଦେଖୁନୁ ବଡ଼ ସାଇନ୍‌ ବୋଡ଼ଟେ । ଲାଲ୍‌ ରଙ୍ଗର ଲେଖା ଗୁଡ଼ିକ କେମିତି ଜଳିଲା ପରି ଦିଶୁଛି । ଚାଲ ସେଇଠି କେଉଁଠି ବସି ପଡ଼ିବା ସକାଳ ହେଲେ ଯିବାର ବ୍ୟବସ୍ଥା କରି ନେବା । ପେଟ୍ରୋଲ ନବାକୁ ଗାଡ଼ି ମଟର ମଧ୍ୟ ଆସିପାରେ । ଲୋକେ ଥିବେ ନିଶ୍ଚୟ, ମୁଖ୍ୟ ସଡ଼କ ମଧ୍ୟ ସହଜରେ ପାଇଯିବା । ମନରେ ବଳ ବାନ୍ଧି ଚାଲିଲେ ତିନିହେଁ । ବାଘୁଇ ସବୁବେଳେ ଆଗେ ଆଗେ ତା’ପଛରେ ତାରା–ପଛରେ ମେଘ । ତାରାକୁ ପଛରେ ରଖିଲେ ଡରିବ । ଗୁଡ଼ାଏ କଣ୍ଟା, ଜଙ୍ଗଲ, ଅନାବନା ଗହଳୀ ଛୋଟ ନାଳଟିଏ ପାରି ହୋଇ ପହଞ୍ଚିଗଲେ ପମ୍ପଘର ନିକଟରେ । ବହୁ କଷ୍ଟରେ ପଥର ଗଛ ବୁଦା ଧରାଧରି କରି ଉଠି ଆସିଲେ ପମ୍ପଘର ନିକଟକୁ । ପମ୍ପଘରଟା ତଳ ମାଟିରୁ ବହୁତ ଉଚ୍ଚରେ ଘରଟା । ନୂଆ ହୋଇ ତିଆରି ହେଉଛି । ଚାଲୁ ହୋଇନି ଏଯାଏଁ । ତିଆରି କାର୍ଯ୍ୟ ଚାଲୁ ଥିବା ହେତୁ ଗୁଡ଼ାଏ ଇଟା ପଥର, ବାଲି ଗଦା ହୋଇ ରହିଛି । ଟିଣଡ୍ରମ ବାଉଁଶ ଏଣେ ତେଣେ ଗଡ଼ୁଛି । ସାମନା ପଟକୁ ଯିବାକୁ ଭାରି ଡର ଲାଗିଲା ସେମାନଙ୍କୁ । ପମ୍ପ ଘରର ପଛପଟ କାନ୍ଥକୁ ଆଉଜି ବସି ପଡ଼ିଲା ମେଘ । ତା’ ସାମ୍‍ନାକୁ ମୁହଁ କରି ଚକା ପକାଇ ବସିଲା ତାରା । ବାଘୁଇ ଚାରିପଟେ ପଇଁତରା ମାରୁଥିଲା ।

Image

–ଭାଇ ଦେଖ ଟେଲିଫୋନ୍‌ ଅଛି ତା’ ଭିତରେ ।

 

ତାରାର କଥାରେ ବୁଲି ଚାହିଁଲା ମେଘ । କାହିଁ ? –କେଉଁଠି ?

 

ଆଙ୍ଗୁଳି ଦେଖାଇଲା ତାରା–ହେଇ ସେଇଠି କାଚ ଘର ଭିତରକୁ ଦେଖାଇଦେଲା ।

 

–ଧେତ୍‌ ବେକାର । ତା’ ଭିତରକୁ ଯିବା କେମିତି ? କହି ବସି ରହିଲା ମେଘ । ପୁଣି କହିଲା ଝରକା କବାଟ ସବୁ ବନ୍ଦ ଯେ । ଉପରକୁ ଉଠି ଭଲ କରି ହାତ ମାରି କାଚର ଝରକା ଗୁଡ଼ିକୁ ପରୀକ୍ଷା କରିନେଲା । ଫିସ୍‌ ଫିସ୍‌ କରି କହିଲା ତାରା–ଆସ ଉପାୟ ଅଛି । ଦେଖ୍‌, ଏପଟ ଝରକା ଖାଲି ଆଉଜା ଅଛି । ଉଠି ପଡ଼ିଲା ମେଘ, କାହିଁ–କେଉଁ ଝରକା ? ଅଳ୍ପ ଝାଙ୍କୁଣି ଦେଇ ଭିଡ଼ି ଦେବାରୁ ଖୋଲିଗଲା କାଚ ଫାଳକ । ଝରକା ପାଖ ଟେବୁଲ ଉପରେ ଟେଲିଫୋନ୍‌ ଥୁଆ ହୋଇ ରହିଛି । ପେଟ୍ରୋଲ ପମ୍ପ ଚାଲୁ ନ ହେବା ପୂର୍ବରୁ ଟେଲିଫୋନ୍‌ ବ୍ୟବସ୍ଥାଟା କରି ନେଇଛି ଲୋକଟା ନାଇଁ ଭାଇ ?

 

–ଚୁପ୍‌ । ବଡ଼ଙ୍କ ପରି ବେଶି ପାଚି ଯାଉଛି । କିନ୍ତୁ ନମ୍ବର, ମାମୁଁଙ୍କ ଟେଲିଫୋନ୍‌ ନମ୍ବର ତୋର ମନେ ଅଛି ? ମୋର ତ..... ।

Image

ଆସେ କରି ହସି ଦେଲା ତାରା–ବାଃ, ଡି.ଏସ୍‌.ପିଙ୍କର ଭଣଜା ହୋଇ ମାମୁଁଙ୍କ ଫୋନ୍‌ ନମ୍ବର ମନେ ରଖିନ ? ନିଅ, ମୋ ସ୍କୁଲ, ବୁକ୍‌ରେ ଲେଖା ଅଛି । ଦେଖିଲ, ଏଇଟା ତାଙ୍କର ଘର ନମ୍ବରଟି ? ଖାତା ଖୋଲି ଦେଖାଇଲା ତାରା ।

 

ଭଲ କରି ଦେଖି ନେଇ କହିଲା ମେଘ–ଥ୍ୟାଙ୍କ୍‌ ୟୁ ତାରା ତୁ ବଡ଼ କ୍ଲେଭର ପିଲା ଲୋ–ମାନେ ଭାରି ଚାଲାକ୍‌ ଅଛୁ । କନ୍‌ଭେଣ୍ଟ ପଢ଼ୁଆ ପିଲା, କଥା କଥାକେ ଇଂରାଜୀ ବାହାରି ପଡ଼ୁଛି । ଖୁସି ବେଳରେ ତ କଥା ନାହିଁ, କିନ୍ତୁ ବର୍ତ୍ତମାନ ବେଳ ନାହଁ ଖୁସି ହେବାକୁ । ନମ୍ବର ବୁଲାଇ କହିସାରି ଦୁହେଁ ସୁସ୍ଥ ଅନୁଭବ କଲେ ।

 

ପାଖରେ ନଳକୂଅଟାଏ ଦେଖି ମେଘ ପମ୍ପ ଦବେଇଲା ତାରା ପାଣି ପିଇଲା । ପୁଣି ତାରା ଦବାଇଲା ମେଘ ପିଇଲା । ତା’ ସାଙ୍ଗେ ସାଙ୍ଗେ ବାଘୁଇ ମଧ୍ୟ ଜିଭରେ ଚାଟି କିଛି ପାଣି ପିଇଗଲା । ସେମିତି ଛିଡ଼ା ହୋଇ ରହିବା କଷ୍ଟ ଲାଗୁଛି କେଉଁଠି ଲମ୍ବା ହୋଇ ପଡ଼ି ରାତିଟା କଟାଇବାକୁ ଦେଖୁ ଦେଖୁ ତାରା କହି ଉଠିଲା, ଭାଇ କଦଳୀ କଦଳୀ । ମେଘ ଆଗକୁ ଚାହିଁଲା । ଛୋଟ ଛୋଟ ଗଛରେ ଲମ୍ବା ଲମ୍ବା କଦଳୀ କାନ୍ଦି ମାନ ଝୁଲି ରହିଛି । ସେଥିରୁ କିଛି ପାଚିଛି ନିଶ୍ଚୟ-। ଜହ୍ନ ଆଲୁଅରେ ବିଶେଷ ଜଣା ପଡ଼ୁ ନଥିଲେ ବି ପାଚିଲା କଦଳୀର ମହକ ବାରି ହୋଇଯାଉଥିଲା ।

Image

ତାରା ଲମ୍ବା ନିଃଶ୍ୱାସଟାଏ ଟାଣି ସେ ଲୋଭିଲା ବାସନାକୁ ନାକରେ ଟାଣି ନେଇ କହିଲା, ବାଃ କି ସୁନ୍ଦର ପାଚିଲା କଦଳୀର ବାସନା ।

 

ମେଘ ସେତେବେଳକୁ ବଡ଼ ଖାଲି ଡ୍ରମଟାଏ ଟାଣି ଆଣି ସିଧା କରି ଛିଡ଼ା କରି ଦେଲାଣି-। କହିଲା, ଧରିଥା, ମୁଁ କଦଳୀ ତୋଳିବି । ଦୁଇ ଚାରି ଫେଣା ଛିଣ୍ଡେଇ ଆଣିଲା ମେଘ । ବାଲିଗଦା ଉପରେ ବସି ଦିହେଁ ଗୁଡ଼ାଏ ଖାଇଗଲେ । ବାଘୁଇ ମଧ୍ୟ ପୁରା ଦୁଇ ଚାରିଟା ପାଚିଲା କଦଳୀ କାଚୁର ମାଚୁର କରି ଚୋବାଇ ପକେଇଲା । ପେଟ ଭରିଲାରୁ ନରମ ବାଲିଗଦା ଉପରେ ଲମ୍ବା ହୋଇଗଲେ ମେଘ ଓ ତାରା । ଉପରେ ତୋଫା ତାରା ଭରା ଆକାଶ । ଚାନ୍ଦମାମୁର ହସ ହସ ଆଲୁଅଛଟା ଝାଉଁ ଗଛର ଶୀତଳ ପବନ, ଆରାମରେ ଆଖି ବନ୍ଦ ହୋଇଗଲା ଦିହିଁଙ୍କର ।

 

ହଠାତ୍‌ ବାଘୁଇ ମିଆଉଁ ମିଆଉଁ ହୋଇ କିରକିରା କରି ଉଠିଲା–ସବୁ ସପନ ଭାଙ୍ଗିଗଲା-। ମେଘ ଉଠି ବସିଲା । ଦୁନ୍ଦୁଭ ଓ ଚତୁରା ଏ ଆଡ଼କୁ ମାଡ଼ି ଆସୁଥିବାର ଲକ୍ଷ କରି ପେଲାଟାଏ ଦେଇ ତାରାକୁ ଉଠାଇଦେଲା ଏବଂ ବେଗକୁ ଗଳାଇ ଦେଇ ସେହି ବାଲିକୁଦ ଉପରୁ ଏମିତି ପିଛଳା ମାଇଲେ ଯେ, ଏକାବେଳକେ ସାତ ତାଳ ଗଭୀର ଧାନ ଖେତରେ ଯାଇ ଲଥ୍‍କିନା ପଡ଼ିଲେ ଦିହେଁ, ପଛରେ ବାଘୁଇ କିଏ ପଚାରୁଛି ପଡ଼ିଯିବା କଥା କାଦୁଅ, କଣ୍ଟା ଝଟା ଉଠି ପଡ଼ି ଧାଇଁ ଲାଗିଲେ ସେମାନେ । ଦିନ ହୋଇ ଆସିଲାଣି ପାଖରେ କଳା ମିଚ୍‌ ମିଚ୍‌ ସଡ଼କ । ଜୀବନ ମୂର୍ଚ୍ଛା ଦୌଡ଼ୁଥାନ୍ତି ମେଘ ଓ ତାରା । ଆଗକୁ ପଥ ପ୍ରଦର୍ଶକ ବାଘୁଇ ।

 

ନାଲି ନେଳୀ କନା ଝୁଲୁଥିବା ଲାଲ୍‌ ପତକାର ବାନାର ଦଣ୍ଡା ଦିଶିଲାଣି । ଠେଙ୍ଗାଟାଏ ଧରି ଧାଇଁଛି ଚତୁରା ତା’ ପଛକୁ ସେହି ବିଦେଶୀ ଲୋକଟା । ତା’ ଅଣ୍ଟାରେ ଛୁରା ହାତରେ ବନ୍ଧୁକ । ଆରେ ବାବ୍‌, ବାଘୁଇ ଅତରଛା ଦୌଡ଼ୁଛି । ଡିଆଁଚିରା ମାରି ଚକ୍‌ର କିଲ୍ଲା ହୋଇଯାଉଛି । ରଡ଼ି ଛାଡ଼ୁଛି ଯେ କାହିଁରେ କ’ଣ । ଆଉ ଅଳ୍ପ ବାଟ ଗଲେ ଗାଁ ପଡ଼ିବ । ଲୋକ, ଘରଦ୍ୱାର ଦିଶିବ ଭୟ ଯିବ । –ହେଲେ ? ସେ’ ବିତ ଆହୁରି କେତେ ଦୂର ।

Image

ତାରା କଥା କହି ପାରୁନି । ମିଇଁ ମିଇଁ ହଉଛି । ତଣ୍ଟି ପାଟି ଶୁଖି ଅଠା ମାରି ଯାଉଛି । ଆଉ ପାରିବିନି ଭାଇ.... ।

 

ମେଘର ମଧ୍ୟ ସେହିପରି ଅବସ୍ଥା । ତଥାପି ଧାଇଁବାକୁ ହବ । ଦୁନ୍ଦୁଭ ଓ ଚତୁରା ପାଖକୁ ପହଞ୍ଚି ଆସିଲେଣି । ଏଇଲେ ଧରି ପକେଇବେ । ରଡ଼ି କରି ଉଠିଲା ମେଘ–ଧାଁ ଆଁ... ତାରା– ।

 

ଆଉ ତାରା, ଝୁଣ୍ଟି ହୋଇ କଚାଡ଼ି ପଡ଼ିଲା ରାସ୍ତା ଉପରେ । ତାକୁ ଧରି ପକାଇଲା ଦୁନ୍ଦୁଭ । ଚତୁରା ମାଡ଼ି ଆସୁଛି ମେଘ ନିକଟକୁ । ମେଘ ଭାବିଲା ଯଦି ସେ ତାରା ପାଇଁ ଅଟକିଯିବ, ଚତୁରା ତାକୁ ଏଇଲେ କବଜା କରି ପକାଇବ । ତା’ହେଲେ ଏ ଚୋରଗୁଡ଼ାକ ତ ମଧ୍ୟ ଧରା ପଡ଼ିବେନି । ସେ ଦୁହେଁ ମଧ୍ୟ ଆଉ ମୁକୁଳି ପାରିବେନି । କେବେହେଲେ, ତାକୁ ଘର, ବାପା, ମା’,ଭାଇ ଭଉଣୀ..... । କାହାକୁ ଦେଖି ପାରିବନି ।

 

ଦୁନ୍ଦୁଭ ତାରାକୁ ଉଠାଇ ନଉଥିଲା । ବାଘୁଇ ମାଇଲା ଡିଆଁଟେ ଦୁନ୍ଦୁଭ କାନ୍ଧ ଉପରକୁ । ଆଖି, ନାକ, କାନ, ଛାତି ଆମ୍ପୁଡ଼ି ରକ୍ତାକ୍ତ କରି ପକାଇଲା । ହେଲେ ଛୋଟ ଜୀବଟା କେତେ ଆଉ ଲଢ଼ନ୍ତା । ଦି’ ଚାରି ଠେଙ୍ଗା ଖାଇ ତଳେ ଲୋଟି ପଡ଼ିଲା ।

 

ମେଘ ମଧ୍ୟ ଆଇ ପାରୁନି । ସେ ପଡ଼ି ଯାଉଥିଲା । ସେତିକିବେଳକୁ ବିରାଟ ଶଦ୍ଦ କରି ବ୍ରେକ୍‌ ମାରି ଜିପ୍‌ଟାଏ ଛିଡ଼ା ହେଲା । ତା’ ପଛକୁ ପୋଲିସ ଭର୍ତ୍ତି ଭ୍ୟାନ୍‌ଟାଏ ମଧ୍ୟ । ଦେଖି ଦେଇ ଚିହିଁକି ଉଠିଲା ମେଘ–ମାମୁଁ.... ?

 

ଚତୁରା ଓ ଦୁନ୍ଦୁଭ ତାରାକୁ ଛାଡ଼ି ପଳାଇ ଯିବାକୁ ବାହାରି ଥିଲେ ମଧ୍ୟ ଯାଇ ପାରିଲେନି-। କନେଷ୍ଟବଳ ଗୁଡ଼ାକ ସେତେବେଳକୁ ଘେରିଯାଇ ବନ୍ଧୁକ ଦେଖାଇ ହ୍ୟାଣ୍ଡସ୍‌ ଅପ୍‌ କରି ସାରିଥିଲେ ସେମାନଙ୍କୁ ।

Image

ବଡ଼ ମାମୁଁ ତାରାକୁ କୋଳେଇ ଆଣିଲେ । ଜିପ୍‌ ଭିତରୁ, ବାପା, ଭାଇ ଧନିଆ ଚାକର ଟୋକା, ମକରା ରୋଷେଇଆ ଓ ସାନ କାକା ସମସ୍ତେ ଓହ୍ଲାଇ ଆସି ମେଘର ଦେହରୁ ଧୂଳି ବାଲି ପୋଛି ପକାଇଲେ । ବାପା କହିଲେ, ପିଲେ ତୁମେ ସବୁ କେମିତି କୁଆଡ଼େ ଚାଲି ଆସିଲ, ଆମେ କିଛି କୂଳକିନାରା ପାଇଲୁ ନାହିଁ । ମାମୁଁ କହିଲେ, ସାବାସ ବେଟା–ଆରେ ଭଣଜା ହବ ତ ଏମିତି ତୋ ଫୋନ୍‌ ପାଇ ଆମେ ଠିକଣା କରିନେଲୁ । ନଚେତ୍‌ ଦୁଷ୍ଟ ଗୁଡ଼ାଙ୍କୁ ଧରିବା ମୁସ୍‌କିଲ ହୋଇଥାନ୍ତା ।

 

ମେଘ କହିଲା, ଆମେ ପୁରା ପୋଲିସ ଫୋର୍ସ ନେଇ ତମକୁ ଦରାଣ୍ଡୁଛୁ । ତୁମେ କେଉଁଠି ଥିଲ ତୁମକୁ କିଏ ବାଟ ବତାଇଲା ବାହାରକୁ ଆସିବାକୁ ?

 

ଏତେବେଳକେ ଯାଇ ବାଘୁଇ କଥା ମନେ ପଡ଼ିଲା ମେଘ ଓ ତାରାର । ତାରା କହିଲା, ବାଘୁଇ, ବାଘୁଇ, କାଇଁ ?

 

ମେଘ କହିଲା, ଏଇଠି ଥିଲା ତ ।

 

କୁଆଡ଼େ ଗଲା ବାଘୁଇ ? ଗତକାଲି ମାନେ ତୁମେ ହଜିଲା ପାଖରୁ ତାକୁ ମଧ୍ୟ ଖୋଜି ପାଉନୁ ଆମେ । ସମସ୍ତେ କହିଲେ ।

 

ମେଘ ଚାରିପଟକୁ ଆଖି ବୁଲେଇ ଖୋଜୁଥିଲା ବାଘୁଇକୁ । କହିଲା–ହେଇ ତ, ବାଘୁଇ ସେ ଜିପ୍‌ ପାଖରେ । ସମସ୍ତେ ମେଘ କଥାରେ ଅନେଇଲେ ବାଘୁଇ ଥିବା ସ୍ଥାନକୁ । ବାଘୁଇ ତା’ ନାକ କାନରୁ ବୋହୁଥିବା ରକ୍ତ ଗୁଡ଼ାକ ପୋଛି ସଫା କରୁଥିଲା । ମେଘ କହିଲା, ସେଇ ତ ଆମକୁ ଠିକଣା କଲା ବାପା । ରାସ୍ତା ବତେଇ ନେଇ ଆସିଲା ଆମକୁ । ବାଘୁଇ ନଥିଲେ ଆମକୁ କ’ଣ ଆଉ ପାଇଥାନ୍ତ ? ଏ ଚୋର ଗୁଡ଼ାକ ଆମକୁ ବିଦେଶୀ ହାତରେ ବିକ୍ରି କରି ଦେଇଥାନ୍ତେ ।

 

ଭାଇ କହିଲା, ପ୍ରକୃତରେ ବିଚରା ଛୋଟ ଜୀବଟିଏ, ଆଖିବୁଜି ଦୁଧ ପିଇଲେ କ’ଣ ହେଲା, ସେ ମଣିଷଠାରୁ ଅନେକ ଊର୍ଦ୍ଧ୍ୱରେ । ବହୁତ ଭଲ । ଯେମିତି ବିଶ୍ୱାସୀ, ସେମିତି ପ୍ରଭୁଭକ୍ତ ଓ ଉପକାରୀ । ଦେଖୁନ, ପିଲା ଯୋଡ଼ାକ କେବେ ରାସ୍ତା ଉପରୁ ଉଠାଇ ଆଣି ରଖିଥିଲେ । ସେ କେବର କଥା କିଏ ମନେ ରଖିଛି । ମାଛ କଣ୍ଟା ଖଣ୍ଡେକି, ଦୁଧ ଟିକେ ଖାଇ ପଡ଼ିଥିଲା । କାହାର ଏତେ ନଜର ଥିଲା ତାକୁ ? ହେଲେ ସେ ଭୁଲିନି ତା’ ଜୀବନଦାତାକୁ । କେମିତି ନିଜ ଜୀବନକୁ ପାଣି ଛଡ଼ାଇ ଦେଇ ଉଦ୍ଧାର କରି ଆଣିଲା ତାରା ଓ ମେଘକୁ ।

Image

ବାପା କହିଲେ, ସତରେ ଆଜିର ଚୋର ଧରା ଓ ମୋ ମେଘ, ତାରାକୁ ପାଇବାର ଯେଉଁ ସଫଳତା ଆସିଛି ସବୁ ଏହି ଆମ ବାଘୁଇର ପାଇଁ । ଏଥର ଚାଲ ଘରେ ବ୍ୟସ୍ତ ହୋଇ ପଡ଼ିଥିବେ ।

 

ବଡ଼ ମାମୁଁ ଗାଡ଼ିରେ ଷ୍ଟାଟ ଦେଇ କହିଲେ, ଯିବା ଯେ, ତା’ ଆଗରୁ ଏହି ସାମନା ଜଳଖିଆ ଦୋକାନରୁ କିଛି ବରା, ରସଗୋଲା ଖାଇ ଦେଇଯିବା ।

Image